FeaturedGeneralLatestPolitics

ବିଜେପିରେ ମିଶିଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ

ନୂଆଦିଲ୍ଲୀ (ସଂକେତ ଟିଭି) : ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ ବିଜେପିରେ ସାମିଲ ହୋଇଛନ୍ତି । ସେ ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି । ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେ ଓ ଅନ୍ୟ ବରିଷ୍ଠ ନେତା ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହ ଦଳକୁ ସ୍ବାଗତ କରିଛନ୍ତି । ସୋରେନ ପରିବାର ବଡ଼ ବୋହୁ ସୀତା ପୂର୍ବରୁ ତିନି ଥର ବିଧାୟିକା ଭାବେ ନିର୍ବାଚିତ ହୋଇସାରିଛନ୍ତି । ଏବେ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହେବା ପରେ ଲୋକସଭା ନିର୍ବାଚନ ଲଢିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ସୀତା ବିଜେପିରେ ସାମିଲ ହେବା ପୂର୍ବରୁ ଆଜି ବିଧାୟକ ପଦ ଏବଂ ଜେଏମଏମ ର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ବିଜେପିରେ ମିଶିବା ପରେ ସୀତା କହିଛନ୍ତି, ଆଜି ମୋଦିଜୀଙ୍କ ବିଶାଳ ପରିବାରରେ ସାମିଲ ହେଲେ । ଦେଶରେ ଏବେ ଯେଉଁ ବିକାଶ ହେଉଛି, ସେହି କାରଣରୁ ପ୍ରତ୍ୟେକ ବ୍ୟକ୍ତି ଆଜି ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି । ନିଜର ରାଜନୈତିକ ଯାତ୍ରାକୁ ମଧ୍ୟ ସ୍ମରଣ ମଧ୍ୟ ସେ କରିଥିଲେ । ଶଶୁର ଶିବୁ ସୋରେନ ଓ ସ୍ବାମୀ ଦୁର୍ଗା ସୋରେନଙ୍କ ସଂଘର୍ଷ ଓ ତ୍ୟାଗ ପାଇଁ ଝାଡଖଣ୍ଡ ରାଜ୍ୟ ଗଠନ ସମ୍ଭବ ହୋଇପାରିଲା ବୋଲି କହିଥିଲେ । ମାତ୍ର ଏହି ସମୟ ମଧ୍ୟରେ ରାଜ୍ଯ ଯେଉଁଠି ପହଞ୍ଚିବା କଥା, ସେଠାରେ ପହଞ୍ଚି ପାରିନି । ତେଣୁ ସେ ବିଜେପି ସହ କାମ କରି ରାଜ୍ୟର ବିକଶ ପାଇଁ ପ୍ରୟାସ ଜାରି ରଖିବେ ବୋଲି ସୀତା କହିଛନ୍ତି । ବିଜେପିରେ ସାମିଲ ହେବା ପରେ ସୀତା ସୋରେନ ଦଳର ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ।