FeaturedLatestPolitics

ବାଲେଶ୍ବରରେ ବିଜେପିର ରୋଡ ସୋ, ଯୋଗଦେଲେ ଧର୍ମେନ୍ଦ୍ର, ଅପରାଜିତା, ବୈଜୟନ୍ତ

ବାଲେଶ୍ୱର (ସଂକେତ ଟିଭି) : ବାଲେଶ୍ବର ସହରରେ ଆଜି ବିଜେପିର ରୋଡ ସୋ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇଥିଲେ ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସଡ଼କ ପଥରେ ବାଲେଶ୍ଵର ପହଞ୍ଚିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ହେଲିକପ୍ଟର ଯୋଗେ ନୋସି ହେଲିପ୍ଯାଡ଼ରେ ଦିବା ୧୨ଟା ସମୟରେ ଅବତରଣ କରିଥିଲେ। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ସମେତ ଅନେକ ବରିଷ୍ଠ ନେତୃତ୍ବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ସ୍ବାଗତ କରି ଏକ ବିଶାଳ ଶୋଭାଯାତ୍ରାରେ ଲୋକସଭା କାର୍ଯ୍ୟାଳୟ ମାହେଶ୍ୱରୀ ଭବନ ପର୍ଯ୍ୟନ୍ତ ଆଣିଥିଲେ। ଏହାପରେ ଲୋକସଭା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକର୍ତ୍ତା ସମ୍ମୀଳନୀକୁ ସେମାନେ ସମ୍ବୋଧିତ କରିଥିଲେ। ଦଳିୟ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ଦିନରେ କରଣୀୟ କାର୍ଯ୍ୟସୂଚୀ ଓ ବିଜୟର ମନ୍ତ୍ର ଦେଇଥିଲେ। ଲୋକଙ୍କ ଘରେ ଘରେ ମୋଦିଜୀଙ୍କ ବାର୍ତ୍ତା “ଦୁଇଟି ପଦ୍ମ ଦୁଇଗୁଣ ବିକାଶ” ର ନାରା ପହଞ୍ଚାଇବାକୁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ। ଓଡ଼ିଶା ଏବେ ପରିବର୍ତ୍ତନ ମୁହାଁ, ଲୋକଙ୍କ ଏହି ଆବେଗକୁ ଭୋଟରେ ପରିବର୍ତ୍ତନ କରିବାକୁ ଆହ୍ଵାନ ଦେଇଥିଲେ।

ସେମାନେ ଆହୁରି କହିଥିଲେ ଯେ ନବୀନ ସରକାରରେ ଓଡ଼ିଶା ଓ ଓଡ଼ିଆଙ୍କର ସାମଗ୍ରିକ ବିନାଶ ହୋଇଛି। ଯୁବା ବର୍ଗ ହତୋତ୍ସାହିତ, ମହିଳା ଶୋଷିତ ନିର୍ଯାତିତ, ଅପରାଧ, ଶିଶୁମୃତ୍ୟୁ ଶିଖରରେ, ଚାଷୀଙ୍କ ପାଇଁ ପରିବେଶ ଅନ୍ଧକାର। ଓଡ଼ିଆ ମନିଷୀ ମାନଙ୍କୁ ସମ୍ମାନ ମିଳୁନାହିଁ ତେଣୁ ଏ ସରକାରଙ୍କର ଆଉ ଗୋଟିଏ ମୁହୁର୍ତ୍ତ ଶାସନରେ ରହିବାର ନୈତିକ ଅଧିକାର ନାହିଁ। ଆଗାମୀ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ପଦ୍ମ ଫୁଲରେ ଭୋଟ୍ ଦେଇ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଗଢ଼ିବାକୁ ଓଡ଼ିଶାର ଲୋକେ ମନସ୍ଥିର କରିସାରିଛନ୍ତି ବୋଲି କହିଥିଲେ।

ଏହାପରେ ରେମୁଣା ବିଜେପିର ଏକ ବିଶାଳ ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ରେମୁଣାର ପୁର୍ବତ୍ତନ ବ୍ଲକ୍ ଅଧ୍ୟକ୍ଷ ( ପୁର୍ବତନ ବିଜେଡ଼ି ବ୍ଲକ୍ ସଭାପତି) ଗୋପିନାଥ ସେନାପତିଙ୍କ ନେତୃତ୍ୱରେ ବିଜେଡ଼ିର କାର୍ଯ୍ୟକାରିଣୀ ଉପସଭାପତି ମାୟାଧର ରାଉତ ଓ ଜଗବନ୍ଧୁ ପୁହାଣ, ପୁର୍ବତନ ବିଜେଡ଼ି ଜିଲ୍ଲା ଯୁବ ସଭାପତି ଶରତ ଚନ୍ଦ୍ର ରାଉତ, ବିଜେଡ଼ି ଯୁବ ନେତା ଶରତ କୁମାର ଦାସ ଓ ନାରାୟଣ ଦାସ, ବିଜେଡ଼ି ନେତା ଜୟନ୍ତ ପଣ୍ଡା, ଅଶୋକ କୁମାର କର,ସୁରେନ୍ଦ୍ର ବେହେରା ପୂର୍ବ ତନ ୱାର୍ଡ ସଭାପତି, ବାଲିଆ,ରାମଚନ୍ଦ୍ର ନାୟକଙ୍କ ସମେତ ଶହେରୁ ଅଧିକ ବିଜେଡ଼ି କର୍ମୀ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ।

ନବାଗତଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦଳୀୟ ଉତ୍ତରୀୟ, ଟୋପି ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ କରିଥିଲେ। ସର୍ବଶେଷରେ ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ପ୍ରଭାରୀ ମନୋରଞ୍ଜନ ମିଶ୍ର, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ଜଳେଶ୍ଵର ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ, ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ ମଞ୍ଚାସିନ ଥିଲେ। ଲୋକସଭା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସହସଂଯୋଜକ ରଣଜିତ ପୁଷ୍ଟି ଓ ଅନୀଲ ମହାନ୍ତି ମିଡ଼ିଆ ପରିଚାଳନା କରିଥିଲେ