EntertainmentFeaturedLatest

ହୃଦଘାତରେ ଅଭିନେତା ଋତୁରାଜଙ୍କ ଦେହାନ୍ତ

ମୁମ୍ବାଇ (ସଂକେତ ଟିଭି) : ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହଙ୍କ ହୃଦ୍‌ଘାତ ହେତୁ ଦେହାନ୍ତ ହୋଇଛି। ଅଗ୍ନାଶୟ ରୋଗର ଚିକିତ୍ସା ପାଇଁ ତାଙ୍କୁ କିଛି ସମୟ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ହୃଦଘାତ ହେବାରୁ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୯ବର୍ଷ ବୟସ ହୋଇଥିଲା। ଋତୁରାଜଙ୍କ ଘନିଷ୍ଠ ବନ୍ଧୁ ଅମିତ ଭେଲ ଏନେଇ ସୂଚନା ଦେଇଛନ୍ତି ।

ଋତୁରାଜ ୧୯୯୩ରେ ଟିଭିରେ ଡେବ୍ୟୁ କରିଥିବା ବେଳେ ‘ହୋଗି ଅପନି ବାତ୍’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଆହଟ୍, ଅଦାଲତ’, ‘ଦିୟା ଅର ବାତି ହମ୍’ ଭଳି ଅନେକ ଭାରତୀୟ ଟିଭି ସୋ’ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ।

କପ୍ରିୟ ଟିଭି ସୋ’ ‘ଅନୁପମା’ରେ ଋତୁରାଜ ସିଂଙ୍କୁ ଦେଖିବାକୁ ମିଳିଥିଲା। ‘ଅନୁପମା’ ସହ ‘ୟେ ରିସ୍ତା କ୍ୟା କେହଲତା ହେ’ ଭଳି ଲୋକପ୍ରିୟ ଟିଭି ସୋ’ରେ ମଧ୍ୟ କାମ କରିଛନ୍ତି ଋତୁରାଜ। ଧାରାବାହିକ ବ୍ୟତୀତ ସେ ‘ରାଜନୀତି’, ‘ସତ୍ୟମେବ ଜୟତେ-୨’ ଓ ‘ବଦ୍ରି କି ଦୁଲହନିଆ’ ଭଳି ଲୋକପ୍ରିୟ ବଲିଉଡ ଫିଲ୍ମରେ ବି କାମ କରିଥିଲେ। ହେଲେ ଏଭଳି ଅଭିନେତାଙ୍କର ହଠାତ୍ ଦେହାନ୍ତ ହେବାର ଖବର ଶୁଣିବା ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଋତୁରାଜ ସିଂଙ୍କ ସମ୍ପୂର୍ଣ୍ଣ ନାମ ଥିଲା ଋତୁରାଜ ସିଂ ଚନ୍ଦ୍ରାବତ ସିସୋଦିଆ। ସେ ରାଜସ୍ଥାନର କୋଟାରେ ସିସୋଦିଆ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ଋତୁରାଜ ସିଂ ଦିଲ୍ଲୀରେ ତାଙ୍କର ପାଠପଢ଼ା ସମାପ୍ତ କରି ୧୯୯୩ରେ ମୁମ୍ବାଇ ଆସିବା ସହ ଅଭିନୟରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।