FeaturedGeneralLatest

ସିକ୍କିମରେ ସରକାର ଗଢିବ ଏସକେଏମ୍, ପ୍ରେମ ସିଂ ତମାଙ୍ଗ ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ (ସଂକେତ ଟିଭି) : ‘ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା’ (ଏସକେଏମ) ପୁଣିଥରେ ସିକ୍କିମରେ ସରକାର ଗଢିବାକୁ ଯାଉଛି । ଫଳରେ ପ୍ରେମ ସିଂ ତମାଙ୍ଗ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଦଳ ରାଜ୍ୟ ବିଧାନସଭାର ମୋଟ ୩୨ ଆସନରୁ ୩୧ ଆସନରେ ବିଜୟ ହାସଲ କରିଛି।

ଅନ୍ୟପଟେ ବିଜେପି ଏବଂ କଂଗ୍ରେସ ଏଠାରେ ଖାତା ଖୋଲିପାରିନାହାଁନ୍ତି ।ତେବେ ପ୍ରେମ ସିଂହ ତମାଙ୍ଗ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି । ଅନ୍ୟପଟେ ବିରୋଧୀ ସିକିମ ଡେମାକ୍ରାଟିକ ଫ୍ରଣ୍ଟ ମାତ୍ର ଗୋଟିଏ ସିଟରେ ଜିତିଛି। ଏପରିକି ଏହି ଦଳର ପୂର୍ବତନ ମୁଖ୍ଯମନ୍ତ୍ରୀ ପୱନ କୁମାର ଚାମଲିଂ ଗୋଟିଏ ଆସନରେ ହାରିଥିବା ବେଳେ ଆଉ ଏକ ଆସନରେ ପଛୁଆ ଅଛନ୍ତି। ଏକଦା ଦେଶର ସବୁଠୁ ଅଧିକ ଦିନ ମୁଖ୍ଯମନ୍ତ୍ରୀ ରହିବାର ରେକର୍ଡ ପୱନ କୁମାର ଚାମଲିଂଙ୍କ ନାଁରେ ଥିଲା। ସେପଟେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏସକେଏମ୍‌ର କର୍ମୀମାନେ ଉତ୍ସବ ଆରମ୍ଭ କରିଦେଇଛନ୍ତି। ସିକ୍କିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତୋମାଙ୍ଗ ରେନକ ଓ ସୋରେଙ୍ଗ ଉଭୟ ଆସନରେ ଜିତିଛନ୍ତି। ସେ ଲଗାତର ଦ୍ୱିତୀୟ ଥର ପାଇଁ ଏଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

୪ ଫେବୃଆରୀ ୨୦୧୩ରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚା (ଏସକେଏମ) ଗଠନ କରାଯାଇଥିଲା | ଭାରତୀ ଶର୍ମା ପ୍ରଥମ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏସକେଏମ ଗଠନରେ ପ୍ରେମ ସିଂ ତମାଙ୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରେମ ସିଂ ତମାଙ୍ଗ ପୂର୍ବରୁ ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡିଏଫ) ରେ ଥିଲେ। ତେବେ, ୨୦୦୯ରେ, ପୂର୍ବତନ ସିଏମ୍ ପୱନ କୁମାର ଚାମଲିଙ୍ଗଙ୍କ ସହ ମତଭେଦ ହୋଇଥିଲା। ୨୦୧୯ରେ ପ୍ରେମ ସିଂ ତମାଙ୍ଗ ସିକ୍କିମର ମୁଖ୍ୟମନ୍ତ୍ରୀ ହୋଇଥିଲେ।