LatestNews

ପ୍ରକାଶ ପାଇଲା ଆଇଏଏସ୍ ପରୀକ୍ଷା ଫଳ : ଓଡ଼ିଆ ପୁଅ ଅନିମେଶ ପ୍ରଧାନ ଦ୍ୱିତୀୟ

ନୂଆଦିଲ୍ଲୀ (ସଂକେତ ଟିଭି) : ସିଭିଲ ସର୍ଭିସ ୨୦୨୩ର ଫାଇନାଲ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ୍‌ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ ଏବଂ ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ରହିଛନ୍ତି।

ଅନୁଗୁଳ ଜିଲ୍ଲା ତାଳଚେର ଭାଲୁଗଡ଼ିଆରେ ଅନିମେଶଙ୍କ ଘର। ବାପ-ମା’ ହରାଇଥିଲେ ମଧ୍ୟ ଅନିମେଶ ନିଜ ଲକ୍ଷ୍ୟ ପୂରଣ କରିପାରିଛନ୍ତି। ଅନିମେଶଙ୍କ ବାପା ସ୍ବର୍ଗତ ପ୍ରଭାକର ପ୍ରଧାନ ହିଙ୍ଗୁଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଥିଲେ। ପ୍ରଭାକରଙ୍କ ୨୦୧୭ରେ ପରଲୋକ ହୋଇଯାଇଛି। ତାଙ୍କ ମା’ ଅରୁଣା ପାତ୍ର ଏମ୍‌ସିଏ୍‌ର କର୍ମଚାରୀ ଥିଲେ। ତାଙ୍କର ଗତ ଜାନୁଆରି ମାସରେ ପରଲୋକ ହୋଇଯାଇଛି। ଭଉଣୀ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାସ୍ଥିତ ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଅନିମେଷ ତାଳଚେରସ୍ଥିତ କଳିଙ୍ଗ ଡିଏଭି ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ। ଏଠାରେ ସେ ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହା ପରେ ସେ ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନ୍‌ଆଇଟି)ରେ ଇଂଜିନିୟରିଂ ପାଠ ପଢ଼ିଥିଲେ। ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିଲେ। ସେହିପରି ଯୁକ୍ତ ୨ରେ ୯୮.୪ ପ୍ରତିଶତ ନମ୍ବର ରଖିଥିଲେ। ସେ ଏବେ ଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌)ରେ କାର୍ଯ୍ୟରତ ଅଛନ୍ତି।

ଅନ୍ୟମାନଙ୍କ ମଧ୍ୟରୁ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ତମ ସ୍ଥାନ ପାଇଥିବା ବେଳେ ୩୬ତମ ସ୍ଥାନରେ ଅଛନ୍ତି ଆୟୁଷି ପ୍ରଧାନ। ସେହିପରି ଜୟଶ୍ରୀ ପ୍ରଧାନ(୫୨), ଅଭିମନ୍ୟୁ ମଲ୍ଲିକ(୬୦), ଅମ୍ରିତାଂଶୁ ନାୟକ(୧୧୦), ଯଶୋବନ୍ତ ମଲ୍ଲିକ(୧୧୫), ୧୪୯ରେ କୃତୀ ତ୍ରିପାଠୀ, ପଦ୍ମନାଭ ମିଶ୍ର(୧୭୬), ୨୦୪ରେ ଶୁଭ୍ରା ପଣ୍ଡା ଓ ୨୫୯ କୁମୁଦ ମିଶ୍ର ଅଛନ୍ତି। ସେହିପରି ୨୬୯ତମ ସ୍ଥାନରେ ତାନିଆ ମିଶ୍ର, ୩୦୩ତମ ସ୍ଥାନରେ ତନିଷା ମିଶ୍ର, ୩୪୩ତମ ସ୍ଥାନରେ ବିଶ୍ବଜିତ ପଣ୍ଡା ଅଛନ୍ତି। କାଳହାଣ୍ଡିର ସିଦ୍ଧାର୍ଥ ବେଶ୍ରା ୮୦୦ତମ ସ୍ଥାନରେ ଅଛନ୍ତି।

୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୩୪୭ ସାଧାରଣ ପ୍ରାର୍ଥୀ, ୧୧୬ ଇଡବ୍ଲୁଏସ ବର୍ଗ ପ୍ରାର୍ଥୀ, ୩୦୩ ଓବିସି, ୧୬୫ ଏସସି ଏବଂ ୮୬ ଏସଟି ପ୍ରାର୍ଥୀ ମନୋନୀତ ହୋଇଛନ୍ତି।