EntertainmentFeaturedLatest

୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ

ମୁମ୍ବାଇ (ସଂକେତ ଟିଭି): ବିବାଦୀୟ ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନ୍ସସେସନ ପୁନମ ପାଣ୍ଡେଙ୍କ ୩୨ ବର୍ଷ ବୟସରେ ପରଲୋକ ହୋଇଛି। ଏହି ଦୁଃଖଦ ଖବରକୁ ତାଙ୍କ ମ୍ୟାନଜର ଶୁକ୍ରବାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଏହା ଜଣାଇଛନ୍ତି।

ସୂଚନା ଅନୁସାରେ, ଅନେକ ଦିନ ହେବ ପୁନମ ଗର୍ଭାଶୟ କର୍କଟ କ୍ୟାନସରରେ ପୀଡ଼ିତ ଥିଲେ। ଶୁକ୍ରବାର ସକାଳେ ଉତ୍ତର ପ୍ରଦେଶରେ ଥିବା ଘରେ ପୁନମଙ୍କର ମୃତ୍ୟୁ ହୋଇଛି। ସୋସିଆଲ ମିଡିଆରେ ପୁନମ ପାଣ୍ଡେଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ତାଙ୍କର ଟିମ ଅଧିକ‌ାରିକ ଭାବେ ଏକ ପୋଷ୍ଟର ସେୟାର କରିଛନ୍ତି।

ଯେଉଁଥିରେ ଲେଖା ଅଛି, ଆଜି ସକାଳ ଆମ ସମସ୍ତଙ୍କ ପାଇଁ ଦୁଃଖଦ ରହିଛି। ଆମର ପ୍ରିୟ ପୁନମଙ୍କୁ ଆମେ ହରାଇ ଦେଇଛୁ। ପୁନମ ଅନେକ ଦିନ ହେବ ଗର୍ଭାଶୟ କର୍କଟରେ ପୀଡ଼ିତ ଥିଲେ। ଆଜି ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଖୁବଶୀଘ୍ର ତାଙ୍କ ଅନ୍ତିମ ସଂସ୍କାର କରାଯିବ।

ଏହି ପୋଷ୍ଟ ଦେଖିବା ପରେ ପୁନମଙ୍କ ଫ୍ୟାନ୍ସମାନେ ସ୍ତବ୍ଧ ହୋଇଯାଇଛନ୍ତି। ପ୍ରତିକ୍ରୟା ଦେଇ ପ୍ରଶ୍ନ କରିଛନ୍ତି କି, ଏହା କ’ଣ ବାସ୍ତବ ଖବର। ନା ଗୁଜବ ପ୍ରଚାର କରାଯାଉଛି। ପୁନମ କ’ଣ ଗର୍ଭାଶୟ କର୍କଟର ସଚେତନତା ଅଭିଯାନ ପାଇଁ ଅଭିନୟ କରୁଛନ୍ତି କି? ଏମିତି ଅନେକ ପ୍ରଶ୍ନ ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ପଚାରି ଚାଲିଛନ୍ତି।

ପୁନମ ପାଣ୍ଡେ ଜଣେ ଲୋକପ୍ରିୟ ମଡେଲ ଥିଲେ । ସେ ୨୦୧୩ରେ ଫିଲ୍ମ ନଶା ସହ ବଲିଉଡରେ ଡେବ୍ୟୁ କରିଥିଲେ । ଏଥିସହ ୨୦୧୧ରେ, କ୍ରିକେଟ୍ ବିଶ୍ବକପ୍ ଫାଇନାଲ୍ ପୂର୍ବରୁ ପୁନମ ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଥିଲେ । ଯେଉଁଥିରେ ଅଭିନେତ୍ରୀ କହିଥିଲେ ଯେ ଯଦି ଭାରତ ଏହି ମ୍ୟାଚ୍ ଜିତେ ତେବେ ସେ ଡ୍ରେସ ଖୋଲି ଦେବେ । ଏହି କାରଣରୁ ସେ ବହୁତ ଲାଇମଲାଇଟରେ ରହିବା ସହ ବିବାଦରେ ମଧ୍ୟ ଛନ୍ଦି ହୋଇଥିଲେ ।

ପୁନମ୍ ସାମ ବମ୍ବେଙ୍କୁ ବିବାହ କରି ଶିରୋନାମାରେ ରହିଥିଲେ । ୨୦୨୦ରେ ବିବାହ ପରେ ସେ ଘରୋଇ ହିଂସାର ମଧ୍ୟ ଶିକାର ହୋଇଥିଲେ । ସେ ତାଙ୍କ ସ୍ବାମୀ ସାମ ବମ୍ବେଙ୍କ ନାଁରେ ଏହି ଅଭିଯୋଗ ଆଣିଥିଲେ । ଏହା ପରେ ଉଭୟଙ୍କ ବିବାହ ତିଷ୍ଠି ନଥିଲା । ତେବେ ସେ ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି । ପୁନମ ପାଣ୍ଡେଙ୍କୁ ଶେଷ ଥର ପାଇଁ କଙ୍ଗନା ରାଣାୱତଙ୍କ ରିଆଲିଟି ଶୋ ଲକଅପ ସିଜନ ୧ରେ ଦେଖିବାକୁ ମିଳିଥିଲା ​ ।