CulturalFeaturedLatestNews

ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ

ପୁରୀ (ସଂକେତ ଟିଭି) :: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ରଥଟଣା ପାଇଁ ସାଢ଼େ ୯ଟା ସମୟ ନିର୍ଦ୍ଧାରିତ ଥିଲେ ମଧ୍ୟ, ଶନିବାର ସକାଳ ୯ଟା ୨୫ ମିନିଟରେ ଏହା ଆରମ୍ଭ ହୋଇ ୧୧ଟା ୧୭ ମିନିଟରେ ଗୁଣ୍ଡିଚା ମନ୍ଦିରରେ ରଥଗୁଡ଼ିକ ପହଞ୍ଚିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, “ସମସ୍ତେ ନିଜ ନିଜ ଦାୟିତ୍ୱ ଯଥାର୍ଥ ଭାବେ ନିର୍ବାହ କରିଛନ୍ତି। ଆଡ଼ପ ମଣ୍ଡପ ବିଜେ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ରବିବାର ଦିନ ଏହି ନୀତି ଅନୁଷ୍ଠିତ ହେବ।”

ନୀତି ପରିଚାଳନାରେ ସଫଳତା: ପ୍ରଶାସକ ପାଢ଼ୀ ଜଣାଇଛନ୍ତି ଯେ ଶୁକ୍ରବାର ଦିନ ସମସ୍ତ ଦେବନୀତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇଥିଲା। ଯଦିଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାରେ କିଛି ବିଳମ୍ବ ହୋଇଥିଲା, ତଥାପି କୌଣସି ନୀତିରେ ବାଧା ସୃଷ୍ଟି ହୋଇନାହିଁ। ସେ କହିଛନ୍ତି, “ଅନ୍ୟ ବର୍ଷଗୁଡ଼ିକ ଭଳି ଏବେରେ ମଧ୍ୟ ଦୁଇ ଦିନ ଧରି ରଥଟଣା ହୋଇଛି। ସମସ୍ତ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି ଏବଂ ଆଗାମୀ ନୀତିକାନ୍ତି ମଧ୍ୟ ଠିକ୍ ଭାବେ ଅନୁଷ୍ଠିତ ହେବ।”

ସେବାୟତଙ୍କ ସହଯୋଗ: ପ୍ରଶାସନ ପକ୍ଷରୁ ଜଣାଯାଇଛି ଯେ ସମସ୍ତ ସେବାୟତଙ୍କ ସହ ଉତ୍ତମ ସମନ୍ୱୟ ରହିଛି ଏବଂ ପ୍ରତ୍ୟେକ କାର୍ଯ୍ୟକ୍ରମ ନିୟମିତ ଭାବେ ଚାଲିଛି। ଏହି ସମୟରେ ଶ୍ରୀମନ୍ଦିରର ଗର୍ଭଗୃହରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି, ଯାହା ଦେବତାଙ୍କ ବଡ଼ଦେଉଳରେ ନ ଥିବା ଅବସରରେ କରାଯାଇଛି। ଏହି ଅବଧିରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ମଧ୍ୟ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ଜଣାଯାଇଛି।