FeaturedLatestNews

ସରକାରୀ କାର୍ଯ୍ୟାଳୟରେ ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟବହାର ବାଧ୍ୟତାମୂଳକ

ଭୁବନେଶ୍ୱର (ସଂକେତ ଟିଭି): ଭାରତ ସଂଚାର ନିଗମ ଲିମିଟେଡ଼ (ବିଏସ୍‌ଏନ୍‌ଏଲ୍‌)କୁ ଏହାର ପୂର୍ବସ୍ଥିତିରେ ଫେରାଇ ଆଣିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ ବ୍ୟବହାର ବାଧ୍ୟତାମୂଳକ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଦ୍ୱାରା ସମସ୍ତ ବିଭାଗକୁ ପ୍ରଶାସନିକ ଚିଠି ଜାରି କରାଯାଇଛି।

ଏହି ଆଦେଶ ଅନୁଯାୟୀ, ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ଇଣ୍ଟରନେଟ୍, ବ୍ରଡ଼ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ୍ ଏବଂ ଲିଜ୍‌ ଲାଇନ୍‌ ସେବା ପାଇଁ ବିଏସ୍‌ଏନ୍‌ଏଲ୍‌କୁ ପ୍ରାଥମିକତା ଦିଆଯିବ। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ପରେ ସମବାୟ ବିଭାଗ ମଧ୍ୟ ଏକ ସର୍କୁଲାର ଜାରି କରି ରାଜ୍ୟର ସମସ୍ତ ଡିଆରସିଏସ୍‌ ଏବଂ ଏଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଛି।

ସମବାୟ ନିର୍ଦ୍ଦେଶକଙ୍କ ଜାରି କରାଯାଇଥିବା ଚିଠି ଅନୁଯାୟୀ, ଯେଉଁସବୁ ସ୍ଥାନରେ ବିଏସ୍‌ଏନ୍‌ଏଲ୍‌ ସେବା ଉପଲବ୍ଧ ଏବଂ ବୈଷୟିକ ଭାବରେ ସମ୍ଭବ, ସେହିସବୁ କାର୍ଯ୍ୟାଳୟରେ ଏହି ସେବା ବ୍ୟବହାର ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଚାଲୁଥିବା ସେବାରେ କୌଣସି ବାଧା ସୃଷ୍ଟି ନକରି ତୁରନ୍ତ ସମୀକ୍ଷା କରି ବିଏସ୍‌ଏନ୍‌ଏଲ୍‌ ସେବାକୁ ହସ୍ତାନ୍ତର କରିବାକୁ ମଧ୍ୟ କୁହାଯାଇଛି।

ଏସବୁ କାର୍ଯ୍ୟ ପ୍ରଗତି ବିଷୟରେ ଆସନ୍ତା ୩୦ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଡିଆରସିଏସ୍‌ ଏବଂ ଏଆରସିଏସ୍‌ମାନେ ସେମାନଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିବେ।