ଆଗାମୀ ୩ ବର୍ଷରେ ୪୫,୦୦୦ ଶିକ୍ଷକ ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ତିନି ବର୍ଷରେ ରାଜ୍ୟରେ ପ୍ରାୟ ୪୫,୦୦୦ ଶିକ୍ଷକ ପଦବୀ ପୂରଣ କରାଯିବ। ଏହି ନିଯୁକ୍ତିଗୁଡ଼ିକ ଚୁକ୍ତିଭିତ୍ତିକ ନହୋଇ ସ୍ଥାୟୀ ଭିତ୍ତିରେ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହିତ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଦୁଇଟି ପ୍ରମୁଖ ଆହ୍ୱାନ ଉଲ୍ଲେଖ କରି କହିଛନ୍ତି ଯେ ବିଦ୍ୟାଳୟ ଛାଡ଼ିବା ହାର ହ୍ରାସ କରିବା ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ତଥ୍ୟ ଅନୁସାରେ, ୨୪% ଆଦିବାସୀ ପିଲା ଅଧ୍ୟୟନ ଅଧାରୁ ଛାଡ଼ିଦେଉଛନ୍ତି। ଏହି ପରିସ୍ଥିତିରେ ରାଜ୍ୟ ସରକାର ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଆରମ୍ଭ କରିଛନ୍ତି, ଯାହାଦ୍ୱାରା ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି ଏବଂ ଫଳରେ ବିଦ୍ୟାଳୟ ଛାଡ଼ିବା ହାରରେ ଯଥେଷ୍ଟ ହ୍ରାସ ପାଇଛି।
ଶିକ୍ଷାର ଗୁଣବତ୍ତା ଉନ୍ନତି ପାଇଁ ଯଥେଷ୍ଟ ସଂଖ୍ୟକ ଶିକ୍ଷକ ଏବଂ ଉନ୍ନତ ଭିତ୍ତିଭୂମିର ଆବଶ୍ୟକତା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ନିଯୁକ୍ତି ପ୍ରକ୍ରିୟା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
