ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ୩୫ ଲକ୍ଷ କୃଷକଙ୍କ ଖାତାକୁ ଗଲା ଟଙ୍କା
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କ ମୁହଁରେ ହସ ଫୁଟିଛି। ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଭାବରେ ସେମାନଙ୍କ ଖାତାକୁ ୬୯୭ କୋଟି ଟଙ୍କା ପହଞ୍ଚିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆୟୋଜିତ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବ୍ୟାପୀ ପିଏମ୍ କିଷାନ ଯୋଜନା ଅନ୍ତର୍ଗତ ଆଜି ୯.୭ କୋଟି ଚାଷୀଙ୍କୁ ୨,୦୦୦ ଟଙ୍କା ଲେଖାଏଁ ହିସାବରେ ୨୦,୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ୩୪.୮୫ ଲକ୍ଷ କୃଷକଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମ ସରକାର ଚାଷୀଙ୍କ ପାଇଁ କାର୍ଯ୍ୟ କରୁଛି। ପିଏମ୍ କିଷାନ ଓ ସିଏମ୍ କିଷାନ ଯୋଜନା ମାଧ୍ୟମରେ ଚାଷୀମାନେ ବର୍ଷକୁ ୧୦,୦୦୦ ଟଙ୍କା ସହାୟତା ପାଉଛନ୍ତି। ଏହି ଅର୍ଥ ସିଧାସଳଖ ଚାଷୀଙ୍କ ଖାତାକୁ ଟ୍ରାନ୍ସଫର୍ ହେଉଛି, ଯାହାଦ୍ୱାରା ସ୍ୱଚ୍ଛତା ବଜାୟ ରହିଛି।”
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ଓଡ଼ିଶାକୁ ‘ଏଗ୍ରିକଲଚର ଟୁଡ଼େ’ ପୁରସ୍କାର ମିଳିଛି। ସେ କୃଷକଙ୍କୁ ଜୈବିକ ଚାଷ କରିବାକୁ ପ୍ରେରଣା ଦେଇ କହିଛନ୍ତି, “ଚାଷୀଙ୍କ ଆୟ ବୃଦ୍ଧି କରିବା ଆମର ଲକ୍ଷ୍ୟ।”
କାର୍ଯ୍ୟକ୍ରମରେ କୃଷି ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ବିଧାୟକ ଆଶ୍ରୀତ ପଟ୍ଟନାୟକ, ବାବୁ ସିଂ, ପ୍ରଶାନ୍ତ ଜଗଦ୍ଦେବ ସହିତ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।
