ପାରିବାରିକ ସଂପତ୍ତି ବିବାଦରେ ଡିଏନ୍ଏ ଟେଷ୍ଟ ନିର୍ଦ୍ଦେଶ ଅସଂଗତ: ହାଇକୋର୍ଟ
କଟକ (ସଂକେତ ଟିଭି): ଡିଏନ୍ଏ ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ବାଧ୍ୟ କରିବା ତାଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ପ୍ରଭାବିତ କରିଥାଏ ବୋଲି କଟକ ହାଇକୋର୍ଟ ରାୟ ଦେଇଛନ୍ତି। ପାରିବାରିକ ସଂପତ୍ତି ବିଭାଜନ ସଂପର୍କିତ ମାମଲାରେ ବିପକ୍ଷ ପକ୍ଷଙ୍କ ପିତୃତ୍ବ ନିର୍ଧାରଣ ପାଇଁ ଡିଏନ୍ଏ ପରୀକ୍ଷା ପାଇଁ କୁହାଯିବା ଅନୁଚିତ ବୋଲି ହାଇକୋର୍ଟ ମତ ଦର୍ଶାଇଛନ୍ତି।
ଏକ ପାରିବାରିକ ସଂପତ୍ତି ବିବାଦକୁ ନେଇ ବିଚାରାଧୀନ ମାମଲାରେ ଜଣେ ପ୍ରତିପକ୍ଷଙ୍କ ପିତୃତ୍ବ ନିରୂପଣ କରିବା ପାଇଁ ଡିଏନ୍ଏ ପରୀକ୍ଷା ପ୍ରସଙ୍ଗ ନେଇ ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଡିଏନ୍ଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବା ଲାଗି ଏହା ଏକ ଉପଯୁକ୍ତ ମାମଲା ନୁହେଁ।
ଏଥି ସହିତ, ଡିଏନ୍ଏ ଟେଷ୍ଟ ସଂପର୍କିତ ଆବେଦନକୁ ଖାରଜ କରି କୁଚିଣ୍ଡା ସିଭିଲ ଜଜ୍ (ବରିଷ୍ଠ ଡିଭିଜନ) ଅଦାଲତ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ହାଇକୋର୍ଟରେ ତାହା କାୟମ ରହିଛି।
ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୋଲାପ ମାଝୀଙ୍କ ତରଫରୁ ଦାୟର ହୋଇଥିବା ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ୨୦୧୮ ମସିହାରେ ଜଣେ ବ୍ୟକ୍ତି ପାରିବାରିକ ସଂପତ୍ତି ବିଭାଜନ ପ୍ରସଙ୍ଗ ନେଇ କୁଚିଣ୍ଡା ସିଭିଲ ଜଜ୍ (ବରିଷ୍ଠ ଡିଭିଜନ୍) ଅଦାଲତରେ ମାମଲା ଦାୟର କରିଥିଲେ। ମାମଲା ଖାରଜ ହେବା ପରେ, ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା।