EducationFeaturedLatestNews

ପ୍ରତି ପଂଚାୟତରେ ପ୍ରତିଷ୍ଠା ହେବ ଗୋଟିଏ ମଡେଲ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ତାଙ୍କ କଥନରେ ଜଣାଯାଇଛି ଯେ ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଗୋଟିଏ ଲେଖାଏଁ ମଡେଲ ସ୍କୁଲ ପ୍ରତିଷ୍ଠା କରାଯିବ । ଏହି ପରିକଳ୍ପନା ଅନୁଯାୟୀ ରାଜ୍ୟର ସମୁଦାୟ ୬,୭୯୪ ଟି ପଂଚାୟତରେ ମଡେଲ ସ୍କୁଲ ଗଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୮୦୦ ଟି ମଡେଲ ସ୍କୁଲ ପ୍ରତିଷ୍ଠା କରିବାକୁ ନିଷ୍ପତି ନିଆଯାଇଛି । ମନ୍ତ୍ରୀ ଗଣ୍ଡ ଦାବୀ କରିଛନ୍ତି ଯେ ଏହିସବୁ ସରକାରୀ ସ୍କୁଲ ଗୁଣାତ୍ମକ ଦୃଷ୍ଟିରୁ ବେସରକାରୀ ସ୍କୁଲଗୁଡ଼ିକୁ ମଧ୍ୟ ଟପି ଯିବେ ।

ଶିକ୍ଷା ଖାତାର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ ଜଣାଇଛନ୍ତି । ଜାତୀୟ ଶିକ୍ଷାନୀତିକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଚାଲିଛି । ଏହି ନୀତି ଲାଗୁ ହେଲା ପରେ ପିଲାମାନଙ୍କର ଶିକ୍ଷାଗତ ଆବଶ୍ୟକତା ସମ୍ପୂର୍ଣ୍ଣ ଭାବରେ ପୂରଣ ହେବ ବୋଲି ଆଶା କରାଯାଉଛି । ପୂର୍ବେ ଶିକ୍ଷା ଶେଷ ହେବା ପରେ ମଧ୍ୟ ଚାକିରି ନଥିବା ଅବସ୍ଥାରେ ପରିବର୍ତ୍ତନ ଆସିବ, ଏବେ ପାଠ ପଢ଼ା ଶେଷ ହେବା ପରେ ଚାକିରି ମିଳିବ, ଦକ୍ଷତା ବୃଦ୍ଧି ପାଇବ ଏବଂ ଛାତ୍ରଛାତ୍ରୀମାନେ ଆତ୍ମନିର୍ଭରଶୀଳ ହେବେ ।

ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନୂଆ ଶିକ୍ଷା ନୀତିରେ ବିଶେଷ ଉପାୟ ରହିଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ଏକ ଚୁକ୍ତିନାମା (MoU) ସ୍ୱାକ୍ଷରିତ ହୋଇଛି, ଯାହାଦ୍ୱାରା ରାଜ୍ୟକୁ ୪୬୨ ଟି ଅତ୍ୟାଧୁନିକ ସ୍କୁଲ ମିଳିଛି । ଶିଶୁବାଟିକା ୩ କାର୍ଯ୍ୟକ୍ରମ ମଧ୍ୟ ଲାଗୁ ହୋଇଛି । ଅଷ୍ଟମ ଶ୍ରେଣୀ ପରିବର୍ତ୍ତେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀର ପିଲାମାନଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଗାଣ କରାଯାଉଛି । ସିଏମ୍ ପୋଷଣ ମାଧ୍ୟମରେ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଉଥିବା ବେଳେ ମାଗଣା ପୁସ୍ତକ ମଧ୍ୟ ଦିଆଯାଉଛି ।

ଶିକ୍ଷକ ଅଭାବ ଦୂରୀକରଣ ପାଇଁ ୧୬,୯୦୦ ଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଶିକ୍ଷକମାନଙ୍କ ଦରମା ବୃଦ୍ଧି କରାଯାଇଥିବା ବେଳେ ପାଚିକାଙ୍କ ଦରମା ୨,୦୦୦ ଟଙ୍କାରୁ ବୃଦ୍ଧି କରି ୩,୦୦୦ ଟଙ୍କା କରାଯାଇଛି । ଶିକ୍ଷକଙ୍କ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ କରିବାକୁ ମଧ୍ୟ ନିଷ୍ପତି ନିଆଯାଇଛି, ଫଳସ୍ୱରୂପ ସମସ୍ତ ଶିକ୍ଷକଙ୍କର ନିୟମିତ ପଦବୀ ହେବ । ଶିକ୍ଷା ଖାତା ପାଇଁ ବର୍ତ୍ତମାନ ୩୧,୦୦୦ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରାଯାଇଛି, ଯାହା ପୂର୍ବତନ ବଜେଟ୍ ଅପେକ୍ଷା ୧୮% ଅଧିକ ।

ମନ୍ତ୍ରୀ ଗଣ୍ଡ ଜୋର୍ ଦେଇ କହିଛନ୍ତି ଯେ କୌଣସି ପିଲା ଘରେ ରହିବେ ନାହିଁ, ସମସ୍ତେ ସ୍କୁଲ୍ ଯାଇ ପାଠ ପଢ଼ିବେ । ରାଜ୍ୟର ଏହି ଶିକ୍ଷା ନୀତିକୁ କେନ୍ଦ୍ର ସରକାର ମଧ୍ୟ ପ୍ରଶଂସା କରିଛନ୍ତି । ଶିକ୍ଷା ବିକାଶ ପାଇଁ ରାଜ୍ୟ ସରକାର କଞ୍ଜୁସି ହୋଇ କାମ କରିବେ ନାହିଁ ବୋଲି ମନ୍ତ୍ରୀ ଗଣ୍ଡ ନିଶ୍ଚିତ କରାଇଛନ୍ତି । ଏହି ଉନ୍ନତ ଶିକ୍ଷା ବ୍ୟବସ୍ଥା ରାଜ୍ୟ ଏବଂ ଦେଶର ବିକାଶରେ ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିମନ୍ତେ ପ୍ରସ୍ତୁତ କରିବ । ଶେଷରେ ଗଣଶିକ୍ଷା ମନ୍ତ୍ରୀ ସମସ୍ତଙ୍କୁ ଏହି ଆହ୍ୱାନକୁ ସୁଯୋଗରେ ପରିଣତ କରିବାକୁ ଅନୁରୋଧ କରିଛନ୍ତି ।