FeaturedLatestNews

ଦୁର୍ଗାପୂଜାରେ ଓଡ଼ିଶା ଆଉ ଏକ ଲଘୁଚାପର ଆଶଙ୍କା

ଭୁବନେଶ୍ୱର (ସଂକେତ ଟିଭି): ଦୁର୍ଗାପୂଜା ପର୍ବକୁ ମଝିରେ ରଖି ଓଡ଼ିଶା ପାଇଁ ଆଉ ଏକ ଲଘୁଚାପ କ୍ଷେତ୍ରର ଆଶଙ୍କା ଉପୁଜିଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ ତାରିଖ (ମଙ୍ଗଳବାର) ଦିନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅକ୍ଟୋବର ୧ ତାରିଖ (ବୁଧବାର) ପାଖାପାଖି ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହି ନୂଆ ଲଘୁଚାପ କ୍ଷେତ୍ରଟିର ପ୍ରଭାବରେ ମହାଷ୍ଟମୀ ଠାରୁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି।

ଏଭଳି ପରିସ୍ଥିତିରେ, ଗତ ୨୫ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଛି। ଏହା ଦକ୍ଷିଣ ଓଡ଼ିଶା ଓ ଛତିଶଗଡ଼ ଦେଇ ପଶ୍ଚିମ ଦିଗକୁ ଅଗ୍ରସର ହୋଇ ଧିରେ ଧିରେ ଦୁର୍ବଳ ହେଉଛି। ଏହା ଆଉ କିଛି ଘଣ୍ଟା ମଧ୍ୟରେ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଅଧିକ।

ଆଜି ରାଜ୍ୟରେ ବର୍ଷା ସହିତ ପ୍ରବଳ ବଜ୍ରପାତ ଓ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଉପକୂଳବର୍ତ୍ତୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼, କଟକ ଓ ଯାଜପୁର ଜିଲ୍ଲାମାନଙ୍କ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ୨୯ ଓ ୩୦ ତାରିଖରେ ମଧ୍ୟ ବର୍ଷା ସହ ପ୍ରବଳ ବଜ୍ରପାତ ଓ ଝଟକା ପବନ ରହିବାର ଆଶଙ୍କା ରହିଛି। ଏହି ଦୁଇ ଦିନ ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼, କଟକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାମାନଙ୍କ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସମୁଦାୟ ପରିସ୍ଥିତି ଦେଖିଲେ, ଅକ୍ଟୋବର ୧ ତାରିଖ, ଯାହା ଦୁର୍ଗାପୂଜାର ନବମୀ ଦିନ, ସେଦିନ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହିତ ବର୍ଷାର ପ୍ରବଳତା ବଢ଼ିବ। ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାମାନଙ୍କ ପାଇଁ ୟେଲୋ ସତର୍କତା ଜାରି କରିଛି।