FeaturedLatestNewsPolitics

ପୁଲିସ ଏସଆଇ ନିଯୁକ୍ତି ଘୋଟାଲା: ସିବିଆଇ ତଦନ୍ତ ଦାବିରେ ବିଜେଡିର ପ୍ରତିବାଦ 

ଭୁବନେଶ୍ବର (ସଂକେତ ଟିଭି): ଭୁବନେଶ୍ବରରେ ପୁଲିସ ସବ-ଇନସ୍ପେକ୍ଟର (ଏସଆଇ) ନିଯୁକ୍ତି କେଳେଙ୍କାରୀ ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରତିବାଦ କରାଯାଇଛି । ଦଳଟି ଏହି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତା ଓ ପରୀକ୍ଷା ଜାଲିଆତିର ଆରୋପ ଲଗାଇ ଆଶାୟୀ ପ୍ରାର୍ଥୀଙ୍କୁ ନ୍ୟାୟ ଦାବି କରିଛି । ବିଜେଡି ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଛି ଏବଂ ଏଥିପାଇଁ ନିର୍ଦ୍ଦେଶ ନ ଦିଆଗଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି । ଏହି ପ୍ରତିବାଦରେ ବହୁ ପରୀକ୍ଷାର୍ଥୀମାନେ ମଧ୍ୟ ଯୋଗ ଦେଇଛନ୍ତି ।

ଅନ୍ୟପକ୍ଷରେ, ଏହି ଘୋଟାଲା ସମ୍ବନ୍ଧୀୟ ତନାଘନା ଜାରି ରହିଛି । ଫେକ୍ ଜବ ସିଣ୍ଡିକେଟ୍ କିପରି କାମ କରୁଥିଲା ତାହାର ଗୁମର ଖୋଲିବା ସହ ଏସଆଇ ନିଯୁକ୍ତି ଘୋଟାଲାର ଚେର କୁଆଡ଼େ ଲମ୍ବିଛି ତାହା ନେଇ ଛାନବିନ ଚାଲିଛି । ରବିବାର ଭୁବନେଶ୍ବର ସ୍ଥିତ ଲିଙ୍ଗରାଜ ଇନଫୋସଲ ଇନଷ୍ଟିଚ୍ୟୁଟ୍ରେ ରେଡ୍ ପଡିଥିବା ବେଳେ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏଠାରେ ରାକେଟ୍ ଚଲାଉଥିବା ଜଣାଯାଇଛି । ଗିରଫ ଚତୁର୍ଥ ଅଭିଯୁକ୍ତ ବିଶ୍ଵରଞ୍ଜନ ବେହେରାଙ୍କଠାରୁ ମଧ୍ୟ କ୍ରାଇମବ୍ରାଞ୍ଚ ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇଛି ।

ଗତକାଲି ପଞ୍ଚମ ଦଲାଲ ଅରବିନ୍ଦ ଦାସଙ୍କୁ ବାଲେଶ୍ଵରର ସିଂଲା ଥାନା ଅଧୀନରେ ନବରା ଅଞ୍ଚଳରୁ ଗିରଫ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ଦଲାଲଙ୍କ ସମେତ ମୋଟ ୧୧୯ ଜଣ ଗିରଫ ହୋଇସାରିଛନ୍ତି । ତଥାପି ଏହି ଠକେଇ ସିଣ୍ଡିକେଟ୍ର କିଙ୍ଗପିନ୍ ଅଦ୍ୟାପି ଧରାପଡ଼ି ନାହାନ୍ତି । ସିଲିକନ୍ ଟେକ୍ ଲାବ୍ ଏବଂ ପଞ୍ଚସଫ୍ଟ୍ର ମାଲିକ ଶଙ୍କର ପୃଷ୍ଟିଙ୍କ ଭୂମିକା ନେଇ ସସ୍ପେନ୍ସ ବଢିବାରେ ଲାଗିଛି ।

ଏହି ଘୋଟାଲା ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉଠୁଛି: କ’ଣ ଲୋକସେବା ଭବନରୁ ଏହି ଠକେଇ ସିଣ୍ଡିକେଟ୍ ଚାଲିଥିଲା? ନିଯୁକ୍ତି କେଳେଙ୍କାରୀରେ ହାଇପ୍ରୋଫାଇଲ ଲୋକଙ୍କ ସମ୍ପୃକ୍ତି ଅଛି କି? ଆଉ କେତେକ ପୋଲିସ ଅଧିକାରୀ ଏଥିରେ ଜଡ଼ିତ ଅଛନ୍ତି କି? ଯଦି ଅଛନ୍ତି, ତେବେ ସେମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ପଛଘୁଞ୍ଚା କାହିଁକି ଦେଉଛି? ଚାକିରି କେଳେଙ୍କାରୀର ମାଷ୍ଟରମାଇଣ୍ଡକୁ ଧରିବାକୁ ରାଜ୍ୟ ଭିତରେ ଓ ବାହାରେ ତନାଘନା ଆରମ୍ଭ ହୋଇଛି ।

ବିଭିନ୍ନ ଶିକ୍ଷାନୁଷ୍ଠାନର ମାଲିକମାନେ ସ୍କାନରରେ ଆସିଛନ୍ତି । ଅଭିଯୁକ୍ତଙ୍କ ସିଡିଆର ଯାଞ୍ଚ ହେଉଛି ଏବଂ ଆବଶ୍ୟକ ପଡ଼ିଲେ ଆର୍ଥିକ କାରବାର ନେଇ ବ୍ୟାଙ୍କକୁ ମଧ୍ୟ ଚିଠି ଲେଖାଯିବ । ୨୦୨୪ ଜୁନ୍ ମାସରୁ ଆଜି ପର୍ଯ୍ୟନ୍ତ ବାତିଲ କରାଯାଇଥିବା ପରୀକ୍ଷାଗୁଡିକର ରିପୋର୍ଟ ଦାଖଲ କରିବାକୁ ସମସ୍ତ ବୋର୍ଡ ଓ ଆୟୋଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମହା ଦୁର୍ନୀତିର ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଥିବା ଶଙ୍କର ପୃଷ୍ଟି ଫେରାର ହୋଇଯାଇଛନ୍ତି ବୋଲି କୁହାଯାଉଛି । ତାଙ୍କର ଘନିଷ୍ଠ ସହଯୋଗୀ ମୁନ୍ନା ମହାନ୍ତି ଭୁବନେଶ୍ବରରୁ ଆଶାୟୀ ପ୍ରାର୍ଥୀଙ୍କୁ ହାଇଦ୍ରାବାଦ ନେବା ପାଇଁ ୩ଟି ବସ ଭଡ଼ା କରିଥିବା ସୂଚନା ମଧ୍ୟ ମିଳିଛି ।