ବାଲେଶ୍ୱର ଛାତ୍ରୀ ଆତ୍ମଦାହ ଘଟଣା: ଏମ୍ସରେ ପୀଡିତାଙ୍କୁ ଭେଟିଲେ ସ୍ବାସ୍ଥ୍ୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି):ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଏକ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ଲେଇ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ପୀଡିତା ଛାତ୍ରୀଙ୍କୁ ଭେଟିବାକୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଂ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏମ୍ସ ଭୁବନେଶ୍ୱର ଗସ୍ତ କରିଛନ୍ତି। ଡାକ୍ତରୀ ଟିମ୍ ସହ ପୀଡିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।
ଏମ୍ସରୁ ବାହାରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି ଯେ ଘଟଣାର ସମ୍ପର୍କରେ ୨ ଜଣକୁ ନିଲମ୍ବନ କରାଯାଇଛି ଏବଂ ଜଣେ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ। ସେ ଆହୁରି କହିଛନ୍ତି ଯେ ଘଟଣାର ଗଭୀର ତଦନ୍ତ ପାଇଁ ଏକ ୩ ଜଣିଆ ଉଚ୍ଚସ୍ତରୀୟ ଟିମ୍ ବାଲେଶ୍ୱର ପଠାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ଜଣାଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ପୀଡିତା ଛାତ୍ରୀଙ୍କ ପରିବାରକୁ ଭେଟିବେ।
ଅନ୍ୟ ପକ୍ଷରେ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଂ କହିଛନ୍ତି ଯେ ଛାତ୍ରୀଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା ଚାଲିଛି। ଏମ୍ସର ବରିଷ୍ଠ ଡାକ୍ତରମାନେ ଲଗାତର ଭାବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖୁଛନ୍ତି। ସେ ଜଣାଇଛନ୍ତି ଯେ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱ ସହିତ ନେଇ କାର୍ଯ୍ୟାନୁଷ୍ଠାନ କରୁଛନ୍ତି।
ଏହାଛଡା, ନୂଆଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏୟାରପୋର୍ଟରେ ଏକ ଜରୁରୀ ବୈଠକ ଡାକିଥିଲେ, ଯେଉଁଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ବୈଠକରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ସଂପର୍କରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଶୀଘ୍ର ଏମ୍ସ ଯାଇ ପୀଡିତାଙ୍କୁ ଭେଟିବେ ବୋଲି ଜଣାଯାଇଛି।