EducationFeaturedLatest

ଏଣିକି ଓଡିଆ ଭାଷାରେ ପଢାଯିବ ଇଞ୍ଜିନିୟରିଂ, ଅନୁମତି ଦେଲା ଏଆଇସିଟିଇ

ଭୁବନେଶ୍ୱର, ୧୮/୦୭ : (ସଂକେତ୍ ଟିଭି) ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ( ବି.ଟେକ୍‌) ଶିକ୍ଷାଦାନ ପାଇଁ ଏଆଇସିଟିଇ ଅନୁମତି ଦେଇଛି । ଯାହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ସମେତ ୧୧ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼ାଯିବ । ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ଼, ଗୁଜରାଟୀ, ମାଲାୟଲମ, ବଙ୍ଗଳା, ଅହମିୟା, ପଞ୍ଜାବୀ ଓ ଓଡ଼ିଆ ଭାଷାରେ ବି.ଟେକ୍‌ ଶିକ୍ଷାଦାନ ପାଇଁ ଏଆଇସିଟିଇ ଅନୁମତି ଦେଇଛି ।

୮ଟି ରାଜ୍ୟର ୧୪ଟି ଇଞ୍ଜିନିୟରିଂ କଲେଜରେ ନିର୍ଦ୍ଦିଷ୍ଟ ବିଷୟରେ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନ ପାଇଁ ନିଷ୍ପତ୍ତି ହୋଇଛି । ଜାତୀୟ ଶିକ୍ଷାନୀତି ଅନୁସାରେ ଆଞ୍ଚଳିକ ଭାଷାରେ ବି.ଟେକ୍‌ ଶିକ୍ଷାଦାନ ପାଇଁ ଏଆଇସିଟିଇ ଅନୁମତି ଦେଇଥିବାରୁ ତାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଇଞ୍ଜିନିୟରିଂ କଲେଜ ଏବଂ ଅନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରିବା ନେଇ ଆଶା କରାଯାଉଛି

ଉଲ୍ଲେଖଯୋଗ୍ୟ, ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଶିକ୍ଷା ମନ୍ତ୍ରଣାଳୟର ଅନ୍ୟ ସହଯୋଗୀ ଡ. ସୁଭାସ ସରକାର, ରଞ୍ଜନ ରାଜକୁମାର, ଅର୍ଣ୍ଣପୂର୍ଣ୍ଣା ଦେବୀ ପ୍ରମୁଖ ଉପରାଷ୍ଟ୍ରପତିଙ୍କୁ ଭେଟି ଶିକ୍ଷାର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼ାଯିବା ନେଇ ଟୁଇଟ୍‌ କରାଯାଇଥିଲା ।ଏ ସମ୍ପର୍କରେ ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନିଲ ସାହସ୍ରବୁଦେ୍ଧ କହିଛନ୍ତି, ବୈଷୟିକ ଶିକ୍ଷା ନିୟାମକ ମନ୍ତ୍ରଣାଳୟର ସ୍ୱୟମ୍‌ ପ୍ଲାଟଫର୍ମରେ ଇଞ୍ଜିନିୟରିଂ ସମ୍ୱନ୍ଧୀୟ ସମସ୍ତ ଭିଡିଓ ବକ୍ତବ୍ୟକୁ ୮ଟି ଆଞ୍ଚଳିକ ଭାଷାରେ ଅନୁବାଦ ହୋଇସାରିଛି ।

ଶୀଘ୍ର ଓଡ଼ିଆ, ଆସାମ ଏବଂ ପଞ୍ଜାବୀରେ ମଧ୍ୟ ଅନୁବାଦ ହେବ । ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନ ପାଇଁ ଅନୁମତି କେବଳ ନ୍ୟାସନାଲ୍‌ ବୋର୍ଡ ଅଫ୍‌ ଆକ୍ରିଡେସନ ସ୍ୱୀକୃତିପ୍ରାପ୍ତ ପାଠ୍ୟକ୍ରମକୁ ଦିଆଯାଇଛି । ପ୍ରଥମ ବର୍ଷର ଛାତ୍ରମାନଙ୍କ ପାଇଁ ସ୍ୱୟମ୍‌ ବକ୍ତୃତାର ଅନୁବାଦ ସମ୍ପୂର୍ଣ୍ଣ ହୋଇଛି ବୋଲି ପ୍ରଫେସର ସହସ୍ରବୁଦେ୍ଧ ସୂଚନା ଦେଇଛନ୍ତି ।