BusinessFeaturedLatest

ଦଶମ ପାସ୍ ନିର୍ମାଣ କଲେ ଇ-ବାଇକ, ଥରେ ଚାର୍ଜ କଲେ ଯିବ ୨୦୦ କିମି

ଚଣ୍ଡିଗଡ: (ସଂକେତ୍ ଟିଭି ) ପଞ୍ଜାବର ଜଣେ ଯୁବକ ଏକ ଇ-ବାଇକ୍‌ ନିର୍ମାଣ କରିଛନ୍ତି । ସେହି ବାଇକ୍ କୁ ଥରେ ଚାର୍ଜ ହେଲେ ଏହା ୨୦୦ କିମି ଯିବ । ଶ୍ରୀ ମୁକ୍ତସର ସାହିବ ଜିଲ୍ଲା ସ୍ଥିତ କୋଟଲି ଆବ୍‌ଲୁ ବାସିନ୍ଦା ସିମରଜିତ ସିଂହ ବ୍ରାର୍‌ ହେଉଛନ୍ତି ଏହି ଇ-ବାଇକ୍‌ର ନିର୍ମାତା । ସେ ମାତ୍ର ୧୦ମ ପାସ୍‌ କରିଛନ୍ତି । ସେ ନିଜର ରୁଚି ଓ ପାସନ୍‌ ଯୋଗୁ ଏଭଳି ବାଇକ୍‌ ନିର୍ମାଣ କରିଛନ୍ତି ।

ପ୍ରଥମ ଇ-ବାଇକ୍‌ ନିର୍ମାଣ ପରେ ଲୋକେ ତାଙ୍କୁ ଅଧିକ ବାଇକ୍‌ ପାଇଁ ଅର୍ଡର୍‌ କରୁଛନ୍ତି । ଏବେ ସୁଦ୍ଧା ସେ ୪୬ଟି ବାଇକ୍‌ ନିର୍ମାଣ କରିସାରିଲେଣି । ଲୋକଙ୍କଠାରୁ ବାଇକ୍‌କୁ ନେଇ କୌଣସି ଅଭିଯୋଗ ପାଇନାହାନ୍ତି ବୋଲି ସମରଜିତ କହିଛନ୍ତି । ବାଇକ୍‌ ମରାମତି ପାଇଁ ମଧ୍ୟ ତାଙ୍କ ପାଖକୁ ଏପର୍ଯ୍ୟନ୍ତ କେହି ଆସିନାହାନ୍ତି ।

ୟୁଟ୍ୟୁବ୍‌ ଦେଖି ଏ ବିଷୟରେ ସମସ୍ତ ସୂଚନା ସଂଗ୍ରହ କଲେ । ପ୍ରଥମେ ନିଜର ପୁରୁଣା ବାଇକ୍‌କୁ ଇ-ବାଇକ୍‌ରେ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନେଲେ । ଏଥିପାଇଁ ଉପକରଣ କିଣିବାକୁ ଅର୍ଥ ସଂଗ୍ରହ କଲେ । ରାତିରେ ଇ-ବାଇକ୍‌ ବିଷୟରେ ସେ ଗବେଷଣା କରୁଥିଲେ ଏବଂ ଦିନରେ ଏହାର ନିର୍ମାଣରେ କଠିନ ପରିଶ୍ରମ କରୁଥିଲେ । ଶେଷରେ ପ୍ରଥମ ଇ-ବାଇକ୍‌ ସଫଳତାପୂର୍ବକ ସେ ନିର୍ମାଣ କଲେ । ତାହା ମାତ୍ର ୩୦ କିମି ଯାଇପାରିଲା ।

ପରେ ଏଥିରେ ଅନେକ ପରିବର୍ତ୍ତନ କଲେ, ଯାହା ଫଳରେ ବାଇକ୍‌ର ହାରାହାରି ବେଗ ୫୦ କିମି ବଢ଼ିଲା । ଏହି ବାଇକ୍‌ ନିର୍ମାଣ ଲାଗି ତାଙ୍କର ୫୦ ହଜାର ଟଙ୍କା ଖର୍ଚ୍ଚ ହେଲା । ପ୍ରଥମେ ତାଙ୍କୁ ଏଥିପାଇଁ ସମସ୍ତେ ପ୍ରତିବାଦ କଲେ । ଏହି ମୂଲ୍ୟରେ ଏକ ନୂଆ ବାଇକ୍‌ ଆସିଯିବ ବୋଲି ଘର ଲୋକେ କହିଲେ । ସମରଜିତ କିନ୍ତୁ କାହା କଥା ଶୁଣିଲେ ନାହିଁ । ଇ-ବାଇକ୍‌ ନିର୍ମାଣ ପରେ ତାକୁ ଧରି ଗାଁରେ ବୁଲିଲେ ।

ଜଣେ ବ୍ୟକ୍ତି ତାଙ୍କ ବିଚାରକୁ ପସନ୍ଦ କଲେ ଏବଂ ଏକ ବାଇକ୍‌ ନିର୍ମାଣ କରିବାକୁ ତାଙ୍କୁ କହିଲେ । ସମରଜିତ ପ୍ରଥମ ବାଇକ୍‌ଠାରୁ ଅଧିକ ଉନ୍ନତ ଓ ବେଗଯୁକ୍ତ ବାଇକ୍‌ ନିର୍ମାଣ କଲେ । ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିବା ପରେ ଲୋକେ ତାଙ୍କ ପାଖକୁ ଆସିଲେ । ଗତ ୧ ବର୍ଷ ତଳୁ ସେ ଇ-ବାଇକ୍‌ ନିର୍ମାଣ କରୁଛନ୍ତି ।

ତାଙ୍କ ବାପା, ଦାଦା ବି ତାଙ୍କ ସହ ମିଶି କାମ କରୁଛନ୍ତି । ତାଙ୍କ ଇ-ବାଇକ୍‌ର ଘଣ୍ଟା ପ୍ରତି ବେଗ ୮୦ କିମି । ଥରେ ଚାର୍ଜ ହେଲେ ଏହା ସର୍ବାଧିକ ୨୦୦ କିମି ଯାଉଛି । ବାଇକ୍‌ ଚାର୍ଜ ହେବାକୁ ୩ ଘଣ୍ଟା ସମୟ ଲାଗୁଛି । ଆଗକୁ ସମରଜିତ ଇ-ଟ୍ରାକ୍ଟର୍‌ ନିର୍ମାଣ କରିବାକୁ ଚାହୁଁଛନ୍ତି । ଏହା ଚାଷୀଙ୍କୁ ଖୁବ୍‌ ସାହାଯ୍ୟ କରିବ ଏବଂ ତାଙ୍କ ସ୍ୱପ୍ନ ମଧ୍ୟ ପୂରଣ ହେବ ବୋଲି ସେ କହନ୍ତି । ତେବେ ଏଥିପାଇଁ ସେ ନିବେଶକ ଖୋଜୁଛନ୍ତି ।