BusinessFeaturedLatest

ଫୋଲ୍ଡିଂ ଇଲେକ୍‌ଟ୍ରିକ୍‌ କାର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଇସ୍ରାଏଲ୍‌ରେ ଅବସ୍ଥାପିତ ଇଲେକ୍ଟ୍ରିକ ଭେଇକିଲ୍‌ ଷ୍ଟାର୍ଟଅପ୍‌ ସିଟି ଟ୍ରାନ୍ସଫର୍ମର ଖୁବ୍‌ ଶୀଘ୍ର ଏହାର ମିନି ଇଲେକ୍ଟ୍ରିକ କାର୍‌ ସିଟି -୨ ଲଞ୍ଚ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ପ୍ରଥମେ ଏହି ଇଲେକ୍ଟ୍ରିକ କାର୍‌କୁ ୟୁରୋପ ମାର୍କେଟ୍‌ରେ ଲଞ୍ଚ କରାଯିବ ।

ଏକ ରିପୋର୍ଟରୁ ଜଣାଯାଇଛି ଆଗାମୀ ବର୍ଷ ଅର୍ଥାତ୍‌ ୨୦୨୪ରେ ଏହା ମାର୍କେଟକୁ ଆସିବ । ଏହି କାର୍‌ ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ଦମ୍‌ଦାର ବ୍ୟାଟେରୀ ପ୍ୟାକ୍‌ରେ ଖଚିତ ହୋଇଛି । ତେବେ ଏହି ମିନି ଇଲେକ୍ଟ୍ରିକ କାର୍‌ର ସାଇଜ୍‌ ହିଁ ଏହାର ବିଶେଷତ୍ୱ । କମ୍ପାନୀ ପକ୍ଷରୁ କୁହାଯାଇଛି ଭିଡ ଓ ହେଭି ଟ୍ରାଫିକ୍‌ ସମସ୍ୟା ଥିବା ସହରରେ ଏହି ମିନି କାର୍‌ ଯାତାୟତ ଲାଗି ସବୁଠାରୁ ଭଲ ବିକଳ୍ପ ହୋଇପାରିବ । ପଶ୍ଚିମ ୟୁରୋପର ଏକ କାରଖାନାରେ ଏହି କାର୍‌ ନିର୍ମାଣ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ କମ୍ପାନୀ ପ୍ରତି ବର୍ଷ ୧୫,୦୦୦ କାର୍‌ ନିର୍ମାଣ କରିବ ।

ୟୁରୋପିଆନ୍‌ ୟୁନିଅନ୍‌ ଓ ବ୍ରିଟେନରେ ଏହି କାର୍‌ର ବ୍ୟବହାର ଲାଗି ଅନୁମତି ମିଳି ସାରିଛି । ଏହି କାର୍‌କୁ ଦୁଇ ପ୍ରକାର ମୋଡ୍‌ରେ ଡ୍ରାଇଭ୍‌ କରାଯାଇପାରିବ । ଗୋଟିଏ ହେଉଛି ପରଫର୍ମାନ୍ସ ମୋଡ୍‌ ଓ ଅନ୍ୟଟି ସିଟି ମୋଡ୍‌ । ପରଫର୍ମାନ୍ସ ମୋଡ୍‌ରେ କାର୍‌ର ସ୍ପିଡ୍‌ ଘଣ୍ଟା ପ୍ରତି ୯୦ କିଲୋମିଟର ରହିଥାଏ । ପରଫର୍ମାନ୍ସ ମୋଡ୍‌ରେ ଡ୍ରାଇଭ୍‌ କରୁଥିବା ସମୟରେ ଏହାର ହୁଇଲ୍‌ ବେସ୍‌ ବଢିଯାଏ ଓ କାର୍‌ର ୪ ଚକ ସାମାନ୍ୟ ବାହାରକୁ ଆସିଯାଏ । ଏହାକୁ ଯଦି ଆପଣ ଏକ ସଂକୁଚିତ ଇଲାକାରେ ପାର୍କ କରିବାକୁ ଚାହିଁବେ ତେବେ ଏହାକୁ ସିଟି ମୋଡ୍‌କୁ ଆଣିବାକୁ ହେବ । ଏପରି କରିବା ଦ୍ୱାରା କାର୍‌ର ଚକ ଭିତରକୁ ପଶିଯାଏ ଓ କାର୍‌ର ଚଉଡା କମିଯାଏ । ଏହି କାର୍‌ର ଓଜନ ପ୍ରାୟ ୪୫୦ କିଲୋଗ୍ରାମ । ଏଥିରେ ୭.୫ କେଡବ୍ଲୁ କ୍ଷମତା ବିଶିଷ୍ଟ ଦୁଇଟି ଇଲେକଫ୍ରିକ୍‌ ମୋଟର ଦିଆଯାଇଛି । ଏହି କାର୍‌ର ମୂଲ୍ୟ ୧୪.୨୦ ଲକ୍ଷ ଟଙ୍କା ରହିଛି ।