LatestSports

ସାଉଦି ଆରବରେ ସନ୍ତୋଷ ଟ୍ରଫିର ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ

ରିୟାଦ୍ : (ସଂକେତ ଟିଭି) ଚଳିତ ବର୍ଷର ଘରୋଇ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ସ୍ଥାନୀୟ କିଙ୍ଗ୍ ଫାଦ ଇଣ୍ଟରନ୍ୟାସ୍‌ନାଲ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ । ଭାରତୀୟ ଫୁଟବଲ ମହାସଂଘ ପାଇଁ ଏହା ଏକ ନୂଆ ଇତିହାସ । କାରଣ ପୂର୍ବରୁ କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲ ଓ ଫାଇନାଲ ବାହାର ଦେଶ ଷ୍ଟାଡିୟମ୍‌ରେ କେବେ ଅନୁଷ୍ଠିତ ହୋଇ ନଥିଲା । ପଞ୍ଜାବ, ସର୍ଭିଶେଷ୍‌, କର୍ଣ୍ଣାଟକ ଓ ମେଘାଳୟ ସନ୍ତୋଷ ଟ୍ରଫି ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ଆଜି ସ୍ଥାନୀୟ କିଙ୍ଗ ଖଲିଦ୍‌ ଇଣ୍ଟରନ୍ୟାସ୍‌ନାଲ ବିମାନ ବନ୍ଦରରେ ପହଞ୍ଚିଛନ୍ତି ।

ବୁଧବାର ଦିନ ପଞ୍ଜାବ ଓ ମେଘାଳୟ ପ୍ରଥମ ସେମିଫାଇନାଲରେ ପରସ୍ପରକୁ ଭେଟିବେ । ସେହିପରି ଉକ୍ତ ଦିନ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ କର୍ଣ୍ଣାଟକ ଏବଂ ସଭିସେସ ମଧ୍ୟରେ ଅନୁଷ୍ଠିତ ହେବ । ସେମିଫାଇନାଲରେ ପରାଜିତ ଦୁଇ ଦଳ ମାର୍ଚ୍ଚ ୪ତାରିଖ ଦିନ ତୃତୀୟ ସ୍ଥାନ ପାଇଁ ପରସ୍ପରକୁ ଭେଟିବେ । ସେହିପରି ଉକ୍ତ ଦିନ ମଧ୍ୟ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।

ସର୍ଭିସେସ୍ ଦଳର ମୁଖ୍ୟ କୋଚ୍‌ ଏମ୍‌ଜି ରାମଚନ୍ଦ୍ରନ କହିଛନ୍ତି ଯେ, ଏହି ଐତିହାସିକ ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ସମସ୍ତ ଦଳ ମଧ୍ୟରେ ପ୍ରବଳ ଉତ୍ସାହ ଜାରି ରହିଛି । ତେଣୁ ସେମିଫାଇନାଲରେ ଆମେ ଭଲ ପ୍ରଦର୍ଶନ କରିବା ପାଇଁ ନିଶ୍ଚିତ ଚେଷ୍ଟା କରିବୁ । ମେଘାଳୟ ଦଳ କୋଚ୍‌ ଖାଲେନ ସିମଲେହ କହିଛନ୍ତି ଯେ, ଏହା ଏକ ନିଆରା ଅନୁଭୁତି । ତେଣୁ ଦଳର ସମସ୍ତ ଖେଳାଳି ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ପଞ୍ଜାବ ଦଳ କୋଚ୍ ହରପ୍ରୀତ ସାଇନ ଓ କର୍ଣ୍ଣାଟକ ଦଳ ମୁଖ୍ୟ କୋଚ୍ ରବି ବାବୁ ରାଜୁ କହିଛନ୍ତି ଯେ, ଭାରତୀୟ ଫୁଟବଲ ମହାସଂଘର ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ।

ଅନ୍ୟପକ୍ଷରେ ଫୁଟବଲର ବିକାଶ ପାଇଁ ଏହା ନିଶ୍ଚିତ ଅଧିକ ଉତ୍ସାହ ସୃଷ୍ଟି କରିବ । ମୁଖ୍ୟତଃ ବିଦେଶ ମାଟିରେ ଏହି ମ୍ୟାଚ୍ ଖେଳିବା ନେଇ ସମସ୍ତ ଖେଳାଳିଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଭରି ରହିଛି । ଏଠାରେ ଅବସ୍ଥାନ କରୁଥବା ପ୍ରବାସୀ ଭାରତୀୟମାନେ ମଧ୍ୟ ସେମିଫାଇନାଲ, ଫାଇନାଲ ଓ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ମନଭରି ଉପଭୋଗ କରିବେ ବୋଲି ଅନୁମାନ । ଏହାଦ୍ୱାରା ସବୁ ଦଳର ଖେଳାଳି ଭଲ ପ୍ରଦର୍ଶନ ପାଇଁ ନିଶ୍ଚିତ ଉତ୍ସାହିତ ହେବେ ।