EducationLatest

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାଶ ହାର ୯୭.୮୯ ପ୍ରତିଶତ, ଫେଲ୍ ହେଲେ ୭୭୦୩

ଭୂବନେଶ୍ବର ୨୫।୬: (ସଂକେତ୍ ଟିଭି) ପ୍ରଥମ ଥର ଲାଗି ବିନା ପରୀକ୍ଷାରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି। ମୋଟ୍ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ କରିଛନ୍ତି। ୭୭୦୩ ଛାତ୍ର-ଛାତ୍ରୀ ଫେଲ୍ ହୋଇଥିବା ସୂଚନା ମିଳିଛି।

୪୪୧୨ ପିଲା ଅନୁପସ୍ଥିତ ଥିବା ବେଳେ ୨୨୫୬ ପିଲାଙ୍କ ମାର୍କ ଦେଇ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ । ସେହିପରି ଏ-୧ ଗ୍ରେଡ୍ ପାଇଥିବା ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ୨୬୫୬ । ଏ-୨ ଗ୍ରେଡ ପାଇଥିବା ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ୨୨,୧୩୧ ରହିଥିବା ବେଳେ ବି-୧ ଗ୍ରେଡ ପାଇଥିବା ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ୫୨,୧୯୯ ରହିଛି। ସେହିପରି ବି-୨ ଗ୍ରେଡରେ ଅଛନ୍ତି ୯୪,୪୭୫ ଛାତ୍ର-ଛାତ୍ରୀ। ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭ ହଜାର ୭୦୩ ଫେଲ୍ ହୋଇଥିବା ବେଳେ ଏକ୍ସ-ରେଗୁଲାର ୪ ହଜାର ୪୦୯ ପିଲା ଫେଲ୍ ହୋଇଛନ୍ତି ।

କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ପରୀକ୍ଷା ରେଜଲ୍ଟ ଘୋଷଣା କରିଛନ୍ତି। ଅପରାହ୍ନ ୪ଟା ବେଳେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା।

ଛାତ୍ରଛାତ୍ରୀ www.bseodisha.inରେ ସନ୍ଧ୍ୟା ୬ଟାରେ ରେଜଲ୍ଟ ଦେଖିପାରିବେ । ଯଦି ଇଣ୍ଟରନେଟ୍ ସମସ୍ୟା ଦେଖାଯାଏ, ତେବେ ଏସଏମଏସ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀ OR01 ସ୍ପେସ୍ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ କଲେ ଜାଣିପାରିବେ ସେମାନଙ୍କ ଫଳାଫଳ ।

ଦଶମ ଶ୍ରେଣୀ ବୋର୍ଡ଼ ରେଗୁଲାର ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ । ପାଖାପାଖି ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ପ୍ରକାଶ ପାଇବ । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପ୍ରତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହେବ ରେଜଲ୍ଟ । ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି ।