FeaturedLatestNewsPolitics

ମୋଦି-ନବୀନଙ୍କ ପାର୍ଟନରସିପ୍ ଆମେ ଭାଙ୍ଗି ଫିଙ୍ଗି ଦେବୁ : ରାହୁଲ ଗାନ୍ଧୀ

ବାଲେଶ୍ବର (ସଂକେତ ଟିଭି) : ଓଡ଼ିଶାରେ ବିଜେପି ଓ ବିଜେଡି ଏକାଠି ଅଛନ୍ତି। ରାଜ୍ୟରେ ଉଭୟଙ୍କ ପାର୍ଟନରସିପ୍ ଚାଲିଛି। ମୋଦି-ନବୀନଙ୍କ ପାର୍ଟନରସିପ୍ ଆମେ ଭାଙ୍ଗି ଫିଙ୍ଗି ଦେବାକୁ ଚାହୁଁଛୁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାଲେଶ୍ବର ଜିଲ୍ଲା ସିମୁଳିଆରେ ଜନସଭାରେ ସମ୍ବୋଧିତ କରି ଏହା କହିଛନ୍ତି ।

ସେ କହିଛନ୍ତି “ଚଳିତ ବର୍ଷ କଂଗ୍ରେସ ଦେଶର ସମ୍ବିଧାନକୁ ବଞ୍ଚାଇବା ପାଇଁ ନିର୍ବାଚନ ଲଢୁଛି। ବିଜେପି ସମ୍ବିଧାନକୁ କୁଠାରଘାତ କରି ଆସୁଛି। ଓଡ଼ିଶାରେ ବିଜେପି ଓ ବିଜେଡି ଏକାଠି ଅଛନ୍ତି। ରାଜ୍ୟରେ ଉଭୟଙ୍କ ପାର୍ଟନରସିପ୍ ଚାଲିଛି। ଏମାନଙ୍କ ଚିନ୍ତାଧାରା ଏକ ପ୍ରକାରର। ଓଡ଼ିଶାର ଖଣି ସମ୍ପଦକୁ ଲୁଟ କରିବାକୁ ଏମାନେ ଏକ ହୋଇଛନ୍ତି। ଆମେ ଏହାକୁ ରୋକିବୁ”

ସେ କହିଛନ୍ତି , “ବିଜେପି ମୋ ନାଁରେ ୨୪ଟି ମାମଲା କରିଛି। ହେଲେ ମୁଁ ଏହାକୁ ନେଇ ଭୟଭୀତ ହୋଇ ନାହିଁ। କୋଟି କୋଟି ଭାରତବାସୀଙ୍କ ସ୍ନେହ ମତେ ମିଳିଛି। ଆମେ କେନ୍ଦ୍ରରେ ସରକାର ଗଢ଼ିଲେ ଚାଷୀ, ଗରିବ, ଯୁବକ, ଆଦିବାସୀ ଓ ପଛୁଆ ବର୍ଗଙ୍କ ପାଇଁ କାମ କରିବୁ। ବିଜେପି ଭଳି କେବଳ ଉଦ୍ୟୋଗପତିଙ୍କ ପାଇଁ ନୁହେଁ। ଆମେ ମହାଲକ୍ଷ୍ମୀ ଯୋଜନା ଆରମ୍ଭ କରି ଗରିବ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଦେବୁ। ଏହାଦ୍ୱାରା ଭାରତର ଅର୍ଥବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।”

ବିଜେପି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରିଛି ବୋଲି ଏହି ସମାବେଶରେ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ। ଦେଶରେ ଏବଂ ଓଡ଼ିଶାରେ ମହଙ୍ଗା ଓ ବେରୋଜଗାରୀ ସମସ୍ୟାକୁ ନେଇ ସେ ଉଭୟ ବିଜେପି ଓ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ଏହାସହ କଂଗ୍ରେସ ନେତୃତ୍ୱରେ ଦେଶରେ ଲୋକଙ୍କ ସରକାର ଗଠନ କରିବାକୁ ରାହୁଲ ଗାନ୍ଧୀ ଆହ୍ଵାନ ଦେଇଥିଲେ ।

ଭିକେ ପାଣ୍ଡିଆନଙ୍କୁ ସିଧାସଳଖ ସିମୁଳିଆରୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, ପାଣ୍ଡିଆନ ଓଡିଶାରେ ସରକାର ଚଳାଉଛନ୍ତି । ଜୁନ ୪ ତାରିଖରେ ଆମ ସରକାର ଆସିଲେ ମହାଲକ୍ଷ୍ମୀ ଯୋଜନା ଲାଗୁ କରିବୁ । ଚାଷୀ ଋଣ ଛାଡ କରିବୁ । ଏହାସହ ଜୁଲାଇ ୫ ତାରିଖରେ ମହିଳାଙ୍କ ଆକାଉଣ୍ଟକୁ ୮୫୦୦ ଟଙ୍କା ଆସିବ । ପ୍ରତିମାସ କୋଟିଏ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଅଗ୍ନିବୀର ଯୋଜନାକୁ ରଦ୍ଦ କରିବୁ । ରାଜ୍ୟରେ ତିରିଶ ଲକ୍ଷ ନିଯୁକ୍ତି ଦେବୁ ।

ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମାଲୁ ଭାଟି ବିକ୍ରମାର୍କା, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରି ଡକ୍ଟର ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ କଂଗ୍ରେସର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ସମେତ ଅନ୍ୟ ନେତାମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।