FeaturedLatestNews

ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ; ୩ ଜଣଙ୍କ ମୃତ୍ୟୁ, ୨୮ ଆହତ

ପୁରୀ (ସଂକେତ ଟିଭି) : ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ବାଣ ଫୁଟି ୩ ଜଣଙ୍କ ମୃତ୍ୟୁ ଘଟିଛି । କଟକ ଏସସିବିରେ ଜଣଙ୍କର ଏବଂ ଭୁବନେଶ୍ବର ଦୁଇ ଘରୋଇ ହସ୍ପିଟାଲରେ ଦୁଇ ଜଣ ଆହତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ବିସ୍ଫୋରଣରେ ୩୦ରୁ ଅଧିକ ଆହତ ହୋଇଥିବା ବେଳେ କଟକ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ଏବେ ୨୮ ଜଣ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ କଟକ ଏସସିବିରେ ୭ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ,ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଚାଲିଛି। ରାତିରେ ମହାପ୍ରଭୁ ନରେନ୍ଦ୍ରରେ ୨୧ ଘେରା ଚାପ ଖେଳିଥା’ନ୍ତି। ଏହି ଚାପ ବେଳେ ଆଗରୁ କାଁଭାଁ ବାଣ ଫୁଟିଥାଏ। ଗତକାଲି ଚନ୍ଦନଯାତ୍ରାର ୨୦ତମ ଦିବସରେ ଥିଲା ଭଉଁରୀ ଯାତ। ରାତି ପ୍ରାୟ ସାଢ଼େ ୧୦ଟା ୪୫ରୁ ୧୧ଟା ମଧ୍ୟରେ ପୁଷ୍କରିଣୀର ଚତୁଃପାର୍ଶ୍ବରେ ହଜାର ହଜାର ଶ୍ରଦ୍ଧାଳୁ ବସି ଠାକୁରଙ୍କ ଚାପଖେଳ ଦେଖୁଥିଲେ।

ଏହି ସମୟରେ ଦେବୀଘାଟ ପଟେ ହଠାତ ଭୟଙ୍କର ଭାବେ ବାଣ ଫୁଟିଥିଲା। ଏତେ ସଂଖ୍ୟାରେ ବାଣ ଗୋଟିଏ ଜାଗାରେ ଫୁଟିଥିଲା ଯେ ନିଆଁପିଣ୍ଡୁଳା ଭଳି ଝୁଲ ବହୁ ଉଚ୍ଚକୁ ଉଠିଥିଲା। ଏଥିରେ ଠାକୁରଙ୍କ ଚାପ ଦେଖୁଥିବା ଭକ୍ତମାନେ ପୋଡ଼ି ହୋଇଯାଇଥିଲେ। ଜୀବନ ବଞ୍ଚାଇବାକୁ କେତେଜଣ ନରେନ୍ଦ୍ର ପୁଷ୍କରିଣୀକୁ ମଧ୍ୟ ଡେଇଁ ପଡ଼ିଥିଲେ। ଆହତଙ୍କ ଶରୀର ଏମିତି ପୋଡ଼ି ଯାଇଥିଲା ଯେ ଦେଖିବା ବି କଷ୍ଟକର। ସଙ୍ଗେ ସଙ୍ଗେ ସେମାନଙ୍କୁ ଆମ୍ବୁଲାନ୍ସରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ‌‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଗୁରୁତରଙ୍କ ଅବସ୍ଥା ଏପରି ଥିଲା ଯେ ସେମାନଙ୍କୁ ତୁରନ୍ତ କଟକ ଓ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଘଟଣ ନେଇ ଗତକାଲି ରାତିରେ ଖବର ଆସିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଶାସନକୁ ଆହତମାନଙ୍କୁ ଚିକିତ୍ସା ବ୍ୟବସ୍ଥା କରାଇବା ନେଇ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ପୂର୍ବାହ୍ନରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟିଥିଲେ। ସେମାନଙ୍କର ଚିକିତ୍ସା ବ୍ୟବସ୍ଥାରେ ରହିଥିବା ମୁଖ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ଏଥି ସହିତ ମୁଖ୍ୟମନ୍ତ୍ରୀ ପୁରୀ ବାଣ ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପମୂଳକ ସହାୟତା ଘୋଷଣା କରିବା ସହ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ତଦନ୍ତ କରିବେ। ସେପଟେ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।