FeaturedLatestSports

ଧର୍ମଶାଳା ଟେଷ୍ଟକୁ ଇନିଂସ ଓ ୬୪ ରନରେ ଜିତିଲା ଭାରତ

ଧର୍ମଶାଳା (ସଂକେତ ଟିଭି) : ଧର୍ମଶାଳା ଟେଷ୍ଟରେ ଇଂଲଣ୍ଡକୁ ଏକ ଇନିଂସ ଓ ୬୪ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଟେଷ୍ଟ ମ୍ୟାଚର ଆଜି ତୃତୀୟ ଦିନରେ ଭାରତ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମ୍ଯାଚ୍ ଜିତି ନେଇଛି। ଅଶ୍ଵୀନଙ୍କ ଚମତ୍କାର ବୋଲିଂରେ ଇଂଲଣ୍ଡ ଧରାଶାୟୀ ହୋଇଯାଇଛି। ଅଶ୍ଵୀନ ସର୍ବାଧିକ ୫ଟି ୱିକେଟ ନେଇଛନ୍ତି। କୁଲଦୀପ ଯାଦବ ଗୋଟିଏ ୱିକେଟ ନେଇଛନ୍ତି। ସେହିପରି ଯଶପ୍ରୀତ ବୁମରାଙ୍କୁ ମଧ୍ୟ ଗୋଟିଏ ୱିକେଟ ମିଳିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୮ ରନ କରିଥିଲା। ଜବାବରେ ଭାରତ ପ୍ରଥମ ଇନିଂସରେ ବିଶାଳ ୪୭୭ରନ ସ୍କୋର ଛିଡ଼ା କରିଥିଲା।

ପ୍ରଥମ ଇନିଂସରେ ଭାରତ ଇଂଲଣ୍ଡଠାରୁ ୨୫୯ ରନରେ ଆଗୁଆ ରହିଥିଲା। ତେବେ ଇଂଲଣ୍ଡର ଦ୍ଵିତୀୟ ପାଳି ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ମାତ୍ର ୧୧୩ରନରେ ମୂଲ୍ୟବାନ ୬ଟି ୱିକେଟ ହରାଇଥିଲା ବ୍ରିଟିଶ ଟିମ । ପ୍ରଥମ ଇନିଂସରେ ଦମଦାର ଖେଳ ଦେଖାଇ ବିଶାଳ ସ୍କୋର କରିଥିଲେ ଭାରତୀୟ ବ୍ୟାଟର। ଅଧିନାୟକ ରୋହିତ ଶର୍ମା ୧୦୩ ରନ ସଂଗ୍ରହ କରିଥିବାବେଳେ ଶୁବମନ ଗିଲ ୧୧୦ ରନ କରିଥିଲେ। ପାଡିକଲ ତୃତୀୟ ସର୍ବାଧିକ ୬୫, ଯଶସ୍ଵୀ ଜୟସ୍ଵାଲ ୫୭ ଏବଂ ସରଫରାଜ ଖାନ ୫୬ ରନ କରିଥିଲେ। ଇଂଲଣ୍ଡର ଶୋଏବ ବଶୀରଙ୍କୁ ୫ ୱିକେଟ ମିଳିଥିଲା।

ଏହି ବିଜୟ ପରେ ବିସିସିଆଇ ବଡ଼ ଘୋଷଣା କରିଛି। ଟେଷ୍ଟ କ୍ରିକେଟ କୁ ପ୍ରୋତ୍ସାହିତ କରିବା ପାଇଁ ବିସିସିଆଇ ଟେଷ୍ଟ କ୍ରିକେଟ ଇନସେଣ୍ଟିଭ ସ୍କିମ ଆରମ୍ଭ କରିଥିବା ନେଇ ସଚିବ ଜୟ ଶାହା କହିଛନ୍ତି। ଏହି ଯୋଜନା ଅଧୀନରେ ଭାରତୀୟ ଖେଳାଳିମାନେ ଟେଷ୍ଟ ଖେଳିବା ପାଇଁ ପାଉଥିବା ପାଉଣା ବୃଦ୍ଧି ପାଇଛି। ତଦନୁଯାୟୀ ଗୋଟିଏ ସିଜନରେ ୭୫ ପ୍ରତିଶତ ମ୍ୟାଚ ଖେଳୁଥିବା ଖେଳାଳୀଙ୍କୁ ପ୍ରତି ମ୍ୟାଚ୍‌ ପାଇଁ ୪୫ ଲକ୍ଷ ଟଙ୍କା ଦିଆଯିବ। ସେହିଭଳି ଏକାଦଶରେ ନ ଥିବା ଖେଳାଳିଙ୍କୁ ୨୨.୫ ଲକ୍ଷ ଟଙ୍କା ମିଳିବ।

ଏହି ଯୋଜନା ଅନୁଯାୟୀ, ଯେଉଁ ଖେଳାଳିମାନେ ଗୋଟିଏ ସିଜିନରେ ଦଳର ମୋଟ ଟେଷ୍ଟ ମ୍ୟାଚ୍‌ର ୭୫ ପ୍ରତିଶତରେ ଏକାଦଶରେ ସାମିଲ ହେବେ ସେମାନେ ପ୍ରତି ମ୍ୟାଚ ପାଇଁ ମୋଟ୍‌ ୪୫ ଲକ୍ଷ ଟଙ୍କା ମିଳିବ। ଯେଉଁ ଖେଳାଳିମାନେ ୭୫ ପ୍ରତିଶତ ମ୍ୟାଚରେ ଦଳରେ ସାମିଲ ରହିବେ ସେମାନଙ୍କୁ ପ୍ରତ୍ୟେକ ମ୍ୟାଚ ପାଇଁ ୨୨.୫ ଲକ୍ଷ ଟଙ୍କା ମିଳିବ। ଯେଉଁ ଖେଳାଳିମାନେ ୫୦ ପ୍ରତିଶତ ମ୍ୟାଚରେ ଏକାଦଶର ଅଂଶବିଶେଷ, ସେମାନେ ପ୍ରତି ମ୍ୟାଚରେ ସମୁଦାୟ ୩୦ ଲକ୍ଷ ଟଙ୍କା ପାଇଥିବାବେଳେ ସମାନ ସଂଖ୍ୟକ ମ୍ୟାଚରେ ଦଳରେ ସାମିଲ ଥିବା ଖେଳାଳିମାନେ ପ୍ରତି ମ୍ୟାଚ ପାଇଁ ୧୫ ଲକ୍ଷ ଟଙ୍କା ମିଳିବ। ଏହାଠାରୁ କମ ମ୍ୟାଚ୍‌ ଖେଳୁଥିବା ଖେଳାଳିଙ୍କ ଲାଗି ଏହି ଯୋଜନା ପ୍ରଯୁଜ୍ୟ ହେବ ନାହିଁ। ସେ ବର୍ତ୍ତମାନର ମ୍ୟାଚ୍‌ ଫି ପାଇବେ। ଏବେ ଖେଳାଳିମାନେ ପ୍ରତି ମ୍ୟାଚ ପାଇଁ ୧୫ ଲକ୍ଷ ଟଙ୍କା ପାଉଛନ୍ତି। ଜୟ ଶାହା ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଏହି ଯୋଜନା ୨୦୨୨-୨୩ ରୁ ଆରମ୍ଭ ହୋଇଛି।