LatestNewsPolitics

ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି : ନବୀନ ପଟ୍ଟନାୟକ

ଭୁବନେଶ୍ୱର (ସଂକେତ ଟିଭି) : ମୋ ଉତ୍ତରାଧିକାରୀ ଭି.କେ ପାଣ୍ଡିଆନ ନୁହଁନ୍ତି ଓ ମୋ ଉତ୍ତରାଧିକାରୀ ରାଜ୍ୟବାସୀ ସ୍ଥିର କରିବେ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ଦେଇ ନବୀନ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଓ ବିଜେଡିରେ ଭି.କେ ପାଣ୍ଡିଆନଙ୍କ ଭୂମିକା ନେଇ ବିଜେପି ବାରମ୍ବାର ଟାର୍ଗେଟ କରୁଛି । ମୁଖ୍ୟମନ୍ତ୍ରୀ ଜାଣି ପାରୁନାହାନ୍ତି ଓ ତାଙ୍କୁ ଏକ କ୍ଷମତା ଭୋଗକାରୀ ଗୋଷ୍ଠୀ କବଜା କରିନେଇଥିବା ନେଇ ଗତକାଲି ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିପ୍ପଣୀ କରିବାର କିଛି ସମୟ ମଧ୍ୟରେ ପ୍ରେସମିଟ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କାଉଣ୍ଟର କରିଛନ୍ତି ।

ନବୀନ କହିଛନ୍ତି, ସେ ସମ୍ପୂର୍ଣ୍ଣ ସୁସ୍ଥ, ଏଥର ରାଜ୍ୟରେ ବିଜେଡି ସରକାର ଗଠନ କରିବାକୁ ଯାଉଛି । ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ମଧ୍ୟ ଆଶାବାଦୀ ବୋଲି ନବୀନ କହିଛନ୍ତି । ସେହିପରି ତାଙ୍କ ଉତ୍ତରାଧିକାରୀ ଭି.କେ ପାଣ୍ଡିଆନ ନୁହଁନ୍ତି ଓ ତାଙ୍କ ଉତ୍ତରାଧିକାରୀ ରାଜ୍ୟବାସୀ ସ୍ଥିର କରିବେ ବୋଲି ନବୀନ କହିଛନ୍ତି ।

ନବୀନ କହିଛନ୍ତି, ରାଜ୍ୟରେ ବିଜେଡି ସରକାର କରିବା ନିଶ୍ଚିତ । ସଂସଦରେ ମଧ୍ୟ ଦଳ ଭଲ କରିବ । ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିବା ପ୍ରଶ୍ନରେ ନବୀନ ଗତକାଲିର ଉତ୍ତର ଦୋହରାଇଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କର ଭଲ ବନ୍ଧୁ । ଯଦି ସେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତିତ ଥିଲେ, ତେବେ ସେ ଫୋନକଲରେ ଏ ସମ୍ପର୍କରେ ପଚାରି ପାରିଥାନ୍ତେ । ସେ ନିର୍ବାଚନୀ ରାଜନୀତି କରୁଛନ୍ତି । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ନବୀନ କହିଛନ୍ତି ।

ବ୍ୟକ୍ତିଗତ ଟିପ୍ପଣୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶ ଓ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ଫଳରେ ସେମାନେ ହତାଶ ହୋଇପଡିଲେଣି । ତେଣୁ ସେମାନେ ଏପରି ବ୍ୟକ୍ତିଗତ ଟିପ୍ପଣୀ କରୁଛନ୍ତି ।