FeaturedGeneralLatest

ନିର୍ବାଚନ ପୂର୍ବରୁ ଦୋଷୀ ସାବ୍ୟସ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାସିଂଟନ (ସଂକେତ ଟିଭି) : ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ହସ୍ ମନି ଟ୍ରାଏଲ ସହ ଜଡିତ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଟ୍ରମ୍ପଙ୍କୁ ଝଟକା ଲାଗିଛି । ଏହାପରେ ଟ୍ରମ୍ପଙ୍କ ରାଜନୈତିକ କ୍ୟାରିୟର ପ୍ରଭାବିତ ହେବା ସହ ଜେଲ୍‌ ଯିବା ନେଇ ଆଶା ଆଶଙ୍କା ଉପୁଜିଛି।

ଗୁରୁବାର ନ୍ୟୁୟର୍କର ଏକ ୧୨ ଜଣିଆ ଖଣ୍ଡପୀଠ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟରେ ନଅ ଘଣ୍ଟା ଧରି ଆଲୋଚନା ପରେ ଏହି ରାୟ ଆସିଥିଲା । ଏହି ମାମଲା ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିୟଲଙ୍କ ସହ ଜଡ଼ିତ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୬ ମସିହାରେ ଏକ ଯୌନ ଦୁର୍ନୀତିକୁ ଏଡାଇବା ପାଇଁ ବୟସ୍କ ଚଳଚ୍ଚିତ୍ର ତାରକା ଷ୍ଟର୍ମୀ ଡାନିଏଲ୍ସଙ୍କୁ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। ସେତେବେଳେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢୁଥିଲେ । ସେତେବେଳେ ଯଦି ଏହି ଦୁର୍ନୀତି ସାମ୍ନାକୁ ଆସେ ତେବେ ତାଙ୍କ ପ୍ରାର୍ଥୀପତ୍ର ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରି ସେ ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା।

କୋର୍ଟରେ ଶୁଣାଣି ସମୟରେ ଟ୍ରମ୍ପ କହିଥିଲେ, ସେ କୌଣସି ପ୍ରକାର ଭୁଲ କରିନାହାନ୍ତି, ଏହି ମାମଲା କେବେ ହେଲେ ଅଣାଯିବା ଉଚିତ ନୁହେଁ । କୋର୍ଟ ପରିସରରେ ସେ ବିଚାର ବିରୋଧରେ ସ୍ବର ଉଠାଇଥିଲେ । ଏହି ସମୟରେ ତାଙ୍କ ସହ ହାଇ-ପ୍ରୋଫାଇଲ୍ ରିପବ୍ଲିକାନ୍ ସହଯୋଗୀଙ୍କ ପରେଡ ମଧ୍ୟ ସାମିଲ ଥିଲା । ହାଉସ ସ୍ପିକର ମାଇକ ଜନସନ ମେରିକାର ଇତିହାସରେ ଏହା ଏକ ଲଜ୍ଜାଜନକ ଦିନ ବୋଲି କହିଥିଲେ ।

ତେବେ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଥିବା ଟ୍ରମ୍ପ ହସମନି ମାମଲାରେ ଦୋଷି ସାବ୍ୟସ୍ତ ହେବା ତାଙ୍କୁ ଅସୁବିଧାରେ ପକାଇ ପାରେ । ଏଥି ପାଇଁ ତାଙ୍କୁ ଜେଲ ଦଣ୍ଡାଦେଶ ମଧ୍ୟ ହୋଇପାରେ । ଏହି ନିଷ୍ପତ୍ତି ବିରୋଧରେ ଟ୍ରମ୍ପ ଆବେଦନ କରିପାରନ୍ତି ବୋଲି ଆଶା କରାଯାଉଛି ।