CulturalFeaturedLatest

ଅଗଷ୍ଟ ୧୬ ତାରିଖରୁ ଖୋଲିବ ପୁରୀ ଶ୍ରୀମନ୍ଦିର

ପୁରୀ ୦୫।୦୮: ( ସଂକେତ୍ ଟିଭି) ପୁରୀ ଶ୍ରୀମନ୍ଦିର ଅଗଷ୍ଟ ୧୬ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ। ପ୍ରଥମ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ। ୨୩ ତାରିଖରୁ ସବୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ଏନେଇ ସୂଚନା ଦେଇ କହିଛନ୍ତି ଯେ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଶ୍ରଦ୍ଧାଳୁମାନେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।

ରଥଯାତ୍ରା ସରିବା ପରେ ଶ୍ରୀମନ୍ଦିର ଖୋଲିବା ନେଇ ବୁଧବାର ଦିନ ଛତିଶାନିଯୋଗ ବୈଠକ ବସିଥିଲା। କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ବିଶାଲ ସିଂ ଏବଂ ଛତିଶଟି ନିଯୋଗର ପ୍ରତିନିଧିମାନେ ଯୋଗଦେଇଥିଲେ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ୧୬ ତାରିଖ ସୋମବାରରୁ ଖୋଲିବ ଶ୍ରୀମନ୍ଦିର। ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି। ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି। ୨୧ ଓ ୨୨ ତାରିଖ ସଟ୍‌ଡାଉନ୍‌ ଥିବାରୁ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ ମନା କରାଯାଇଛି। ସେହି ଦୁଇ ଦିନ ଶ୍ରୀମନ୍ଦିର ପରିସର ସାନିଟାଇଜ୍‌ କରାଯିବ। ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବ।

ଶ୍ରଦ୍ଧାଳୁଙ୍କ ପାଇଁ ଡବଲ ଡୋଜ ଟିକା କିମ୍ବା ଆରଟି ପିସିଆର ନେଗେଟିଭ ରିପୋର୍ଟ ଜରୁରୀ। ୯୬ ଘଣ୍ଟା ପୂର୍ବରୁ ନେଗେଟିଭ ରିପୋର୍ଟ ଥିବା ଜରୁରୀ। ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। ସପ୍ତାହାନ୍ତ ସଟଡାଉନ ଏବଂ ଜନ୍ମାଷ୍ଟମୀ ଦିନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କୁ ଯିବା ପାଇଁ କଟକଣା ଲଗାଯାଇଛି ।