FeaturedLatestNewsPolitics

ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ

ଭୁବନେଶ୍ବର (ସଂକେତ ଟିଭି) : ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ସିଂ ତୋମର ଓ ରାଜ୍ୟ ସଭାପତି ମନମୋହନ ସାମଲ ଓ ନିମାପଡ଼ା ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମୀର କହିଥିଲେ, ୨୦୦୬ରୁ ସେ ନିଷ୍ଠାର ସହ ଦଳ ପାଇଁ କାମ କରିଆସୁଛନ୍ତି । ତଥାପି ଦଳ ତାଙ୍କ ଉପରେ ଭରସା କଲାନି । ତାଙ୍କ ଉପରୁ ଦଳ ଆସ୍ଥା ହରାଇଥିବାରୁ ଆଉ ଦଳରେ ରହିବାକୁ ସେ ସମୀଚିନ ମନେ କରୁନାହାଁନ୍ତି ବରଂ ଦଳ ଛାଡିବାକୁ ଉଚିତ ମନେ କରିଛନ୍ତି । ଏହାସହ ସେ ନିଜେ ମଧ୍ୟ ନିମାପଡା , ଗୋପ ବିଜେଡିରୁ ଆସ୍ଥା ହରାଇବା ପରେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି ।

ସେ କହିଛନ୍ତି, ଏଥର ନିମାପଡ଼ାରୁ ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଲକ୍ଷାଧିକ ଭୋଟରେ ବିଜୟୀ ହେବେ। ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶରେ ପ୍ରେରିତ ହୋଇବିଜେପିରେ ସାମିଲ ହେଲି। ଦଳ ମୋତେ ଯେଉଁ ଦାୟିତ୍ବ ଦେବ ତାହାକୁ ମୁଁ ନିଷ୍ଠାର ସହ ପାଳନ କରିବି।

ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତାର ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସମୀର ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏଥର ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା ।