FeaturedLatestNews

ଘର ଉପରକୁ ଚଢିଗଲା ଡମ୍ପର, ୨ ମୃତ

ବାଲେଶ୍ବର (ସଂକେତ ଟିଭି): ଘର ଉପରକୁ ଏକ ମେଟାଲ ବୋଝେଇ ଡମ୍ପର ମାଡ଼ି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ। ସେହିପରି ସେମାନଙ୍କ ପୁତ୍ରବଧୂ ଓ ୭ ବର୍ଷର ନାତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଆମ୍ବଳିଅଠା ଛକ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁସାରେ ଗତ ମଙ୍ଗଳବାର ରାତି ପାଖାପାଖି ୨ଟା ସମୟରେ ଏକ ୧୦ଚକିଆ ମେଟାଲ ବୋଝେଇ ଡମ୍ପର ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଆମ୍ବଳିଅଠା ଛକ ନିକଟସ୍ଥ ଆମ୍ବଳିଅଠା-ସୋଲପଟା ରାସ୍ତାକଡ଼ ପାଟଣାସାହିରେ ଥିବା ଏକ ଝାଟିମାଟି ଘର ଉପରକୁ ମାଡ଼ିଯିବା ସହ ଓଲଟି ପଡିଥିଲା। ସେହି ସମୟରେ ଘର ଭିତରେ ଶୋଇଥିବା ସୁଧୀର କୁମାର ଜେନା ଓ ତାଙ୍କ ପତ୍ନୀ ସବିତା ଜେନା ଡମ୍ପର ଓ ମେଟାଲ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକେ ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚିବା ସହ ବହୁ କଷ୍ଟରେ ଉଭୟଙ୍କୁ ମେଟାଲ ତଳୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇ ଯାଇଥିଲା। ସେହିପରି ସୁଧୀରଙ୍କ ପୁତ୍ରବଧୁ ରଞ୍ଜିତା (୨୬) ଓ ତାଙ୍କ ୭ ବର୍ଷର ପୁଅ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ବୋଲି କୁହାଯାଇଛି।

ସେପଟେ ରାତି ପ୍ରାୟ ସାଢେ ୩ ଟା ସମୟରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଶବ ରଖି ଆମ୍ବଳିଅଠା-ସୋଲପଟା ରାସ୍ତାକୁ ଅବରୋଧ କରିଥିଲେ। ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ।