CulturalFeaturedLatest

୨୩୦ କୋଟିରେ ବିକ୍ରି ହେବ ବିଶ୍ୱର ସର୍ବବୃହତ ଧଳା ହୀରା

ଜେନେଭା (ସଂକେତ୍ ଟିଭି) : ଆସନ୍ତା ସପ୍ତାହ ବିଶ୍ୱର ସର୍ବବୃହତ ଧଳା ହୀରା “ଦ ରକ୍‌’ ଜେନେଭାଠାରେ ନିଲାମ ହେବ । ନାଶପାତି ଆକାରବିଶିଷ୍ଟ ଏହି ଧଳା ହୀରା ଗୋଲ୍ଫ ବଲ୍ ଭଳି ବଡ଼ । ଦକ୍ଷିଣ ଆଫ୍ରିକାର ଖଣିରୁ ଏହି ଦୁର୍ଲଭ ହୀରା ମିଳିଥିଲା, ଯାହାର ଓଜନ ୨୨୮.୩୧ କ୍ୟାରେଟ୍ ।

କ୍ରୀଷ୍ଟିଜ୍ ତରଫରୁ ଏହାର ନିଲାମ ହେବ । କ୍ରିଷ୍ଟିର ଆଭୂଷଣ ବିଭାଗର ପ୍ରମୁଖ ମ୍ୟାକ୍ସ ଫସେଟ୍‌ କହିଛନ୍ତି, ଅନେକ ସମୟରେ ଏଭଳି ବଡ଼ ପଥରଗୁଡ଼ିକର ଓଜନ ବଜାୟ ରଖିବା ପାଇଁ ଆକାର ଛୋଟ କରିବାକୁ ପଡ଼ିଥାଏ । ଦ ରକ୍ ହୀରା ସହିତ “ଦ ରେଡ୍ କ୍ରସ୍ ଡାଏମଣ୍ଡ’ର ମଧ୍ୟ ନିଲାମ ହେବ । ୨୦୫.୭ କ୍ୟାରେଟ୍‌ର ଏହି ହୀରା ହଳଦିଆ ରଙ୍ଗର ।

ଏହାର ନିଲାମରୁ ପ୍ରାପ୍ତ ଅର୍ଥର କିଛି ଅଂଶ ରେଡ୍ କ୍ରସ୍‌ ସୋସାଇଟିକୁ ପ୍ରଦାନ କରାଯିବ । ଏହି ଅର୍ଥ ଲୋକଙ୍କ ପାଖକୁ ସ୍ବଚ୍ଛ ଜଳ ପହଞ୍ଚାଇବାରେ ଖର୍ଚ୍ଚ ହେବ । ଏହି ବହୁମୂଲ୍ୟ ରତ୍ନକୁ ପ୍ରଥମ ଥର କ୍ରୀଷ୍ଟିଜ୍ ଦ୍ୱାରା ଲଣ୍ଡନ ସ୍ଥିତ ନିଲାମରେ ୧୯୧୮ ମସିହାରେ ବିକ୍ରି କରାଯାଇଥିଲା । ସେତେବେଳେ ବିଶ୍ୱ ଯୁଦ୍ଧ ଚାଲିଥିଲା । ଲଣ୍ଡନ ବାସିନ୍ଦା ବ୍ରିଟେନକୁ ସାହାଯ୍ୟ କରିବା ଲାଗି ନିଜ ନିଜର ମୂଲ୍ୟବାନ ବସ୍ତୁଗୁଡ଼ିକୁ ନିଲାମ ଜରିଆରେ ବିକ୍ରି କରିଥିଲେ । ସେହି ନିଲାମରୁ ୧୦ ହଜାର ପାଉଣ୍ଡ ମିଳିଥିଲା, ଯାହା ଦ୍ୱାରା ବ୍ରିଟିଶ ରେଡ୍ କ୍ରସ୍ ସୋସାଇଟିକୁ ସାହାଯ୍ୟ କରାଯାଇଥିଲା ।

ଏହା ପୂର୍ବରୁ ୧୬୩.୪୧ କ୍ୟାରେଟ୍‌ର ଧଳା ହୀରା ୨୦୧୭ ମସିହାରେ ନିଲାମ ହୋଇଥିଲା । ସେତେବେଳେ ଏହି ନିଲାମ ରେକର୍ଡ କରିଥିଲା । ପ୍ରମୁଖ ହୀରା ଉତ୍ପାଦକ ଦେଶ ରୁଷ ଉପରୁ ପ୍ରତିବନ୍ଧକ ଓ ମହାମାରୀ କଟକଣା ଉଠିବା ପରେ ଭିଆଇପି କାର୍ଯ୍ୟକ୍ରମ ପୁଣି ଆରମ୍ଭ ହୋଇଛି । ଏହା ଦ୍ୱାରା ହୀରାର ବିଶ୍ୱସ୍ତରୀୟ ମୂଲ୍ୟ ବୃଦ୍ଧି ହୋଇଛି । ବିଶ୍ୱର ସବୁଠୁ ମହଙ୍ଗା ନୀଳ ହୀରା ହଂକଂର ସୋଥ୍‌ବାଏ କମ୍ପାନିର ତତ୍ତ୍ୱାବଧାନରେ ନିଲାମ ହୋଇଛି । ଦ ଡି ବିୟର୍ସ କଲିନାନ୍ ବ୍ଲୁ ଡାଏମଣ୍ଡ ନାମକ ଏହି ହୀରା ୧୫.୧୦ କ୍ୟାରେଟ୍‌ର । ଏହା ୩୭୩ କୋଟିରେ ବିକ୍ରି ହୋଇଛି । ଏହି ଦୁର୍ଲଭ ହୀରା ୨୦୨୧ ମସିହାରେ ଦକ୍ଷିଣ ଆଫ୍ରିକାର କଲିନାନ୍ ଖଣିରୁ ମିଳିଥିଲା । ରଙ୍ଗୀନ୍‌ ହୀରାରେ ଏହାର ଉଚ୍ଚତମ ରେଙ୍କ ରହିଛି ।