CulturalFeaturedLatest

୨୪ ଜୁନ୍‌ରେ ଗ୍ରହ ପରେଡ୍‌, ଗୋଟିଏ କ୍ରମରେ ଦେଖିପାରିବେ ପାଞ୍ଚଟି ଗ୍ରହ

ଭୁବନେଶ୍ବର (ସଂକେତ୍ ଟିଭି) : ଯଦି ମହାକାଶ ସମ୍ବନ୍ଧରେ ଜାଣିବାକୁ ଆଗ୍ରହୀ, ତେବେ ଜୁନ୍‌ ମାସ ଆପଣଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଏହି ମାସରେ ଆପଣ ଖାଲି ଆଖିରେ ଗୋଟିଏ କ୍ରମରେ ପାଞ୍ଚଟି ଗ୍ରହ ଦେଖିପାରିବେ । ଏହି ଗ୍ରହଗୁଡ଼ିକ ହେଉଛି ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି । ତେବେ ୧୮ ବର୍ଷ ପରେ ପ୍ରଥମ ଥର ପାଇଁ ମହାକାଶର ଏହି ବିରଳ ଦୃଶ୍ୟ ଜୁନ୍‌ ୨୪ରେ ଦେଖାଯିବ ।

ଯଦିଓ ଦୁଇରୁ ତିନୋଟି ଗ୍ରହ ଏକ ସିଧା ଲାଇନରେ ଦେଖାଯିବା ସାମାନ୍ୟ, କିନ୍ତୁ ପାଞ୍ଚଟି ଗ୍ରହର ସଂଯୋଗ ମହାକାଶ ଇତିହାସ ପାଇଁ ଏକ ନିଆରା ଅଧ୍ୟାୟ । ଏହି ଦୃଶ୍ୟକୁ ‘ପ୍ଲାନେଟ୍‌ ପ୍ୟାରେଡ୍‌’ ମଧ୍ୟ କୁହାଯାଏ । ଏହାର କୌଣସି ବୈଜ୍ଞାନିକ ପରିଭାଷା ନାହିଁ, ଏହି ଶବ୍ଦ କେବଳ ଏହି ଘଟଣାକୁ ଜ୍ୟୋର୍ତିବିଜ୍ଞାନରେ ବ୍ୟବହୃତ ହୋଇଥାଏ ।

ମହାକାଶପ୍ରେମୀମାନେ ଦୂରବୀକ୍ଷଣଯନ୍ତ୍ର ସାହାଯ୍ୟରେ ୨୪ ଜୁନ୍‌ ସକାଳେ ମହାକାଶର ଏହି ଅଦ୍ଭୁଦ ଦୃଶ୍ୟକୁ ଦେଖିପାରିବେ । ଉତ୍ତର ଗୋଲାର୍ଦ୍ଧରେ ବାସ କରୁଥିବା ଲୋକମାନେ ଦକ୍ଷିଣ ଏବଂ ପୂର୍ବ ଆଡକୁ ଦେଖିପାରିବେ, ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ରହୁଥିବା ଲୋକମାନେ ଉତ୍ତର ଏବଂ ପୂର୍ବରେ ଏହି ଚମତ୍କାର ସଂଯୋଗକୁ ଉପଭୋଗ କରିପାରିବେ । ସ୍କାଏ ଆଣ୍ଡ୍‌ ଟେଲିସ୍କୋପ ପତ୍ରିକା ଅନୁଯାୟୀ, ଏହି ଦୃଶ୍ୟ ଦେଖିବା ପାଇଁ ଆପଣଙ୍କୁ ଏକ ଘଣ୍ଟା ସମୟ ମିଳିବ ।

ରିପୋର୍ଟ ଅନୁଯାୟୀ, ସମସ୍ତ ଗ୍ରହ ମଧ୍ୟରୁ ବୁଧ ଗ୍ରହକୁ ସହଜରେ ଦେଖାଯାଇ ହେବ । ଏହି ସମୟରେ ଶୁକ୍ର ଏବଂ ମଙ୍ଗଳ ମଧ୍ୟରେ ଚନ୍ଦ୍ର ଅବସ୍ଥିତ ରହିବ । ଏଥିସହ ଏହି ଦିନ ବୁଧ ଏବଂ ଶନି ମଧ୍ୟରେ ଦୂରତା ୧୦୭ ଡିଗ୍ରୀକୁ ବୃଦ୍ଧି ପାଇବ । ଏହି ଘଟଣା ଜୁନ୍‌ ୩ ଏବଂ ୪ରେ ମଧ୍ୟ ଘଟିଥିଲା । ଏହି ଦୁଇ ଦିନ ସକାଳରେ ବୁଧ ଏବଂ ଶନି ମଧ୍ୟରେ ଦୂରତା ୯୧ ଡିଗ୍ରୀ ଥିଲା । ଏହି ଦୃଶ୍ୟ ଦେଖିବାକୁ ଲୋକମାନଙ୍କ ପାଖରେ ମାତ୍ର ଅଧ ଘଣ୍ଟା ସମୟ ଥିଲା ।

ଏହାପୂର୍ବରୁ ଡିସେମ୍ବର ୨୦୦୪ରେ ଏପରି ଘଟଣା ଘଟିଥିଲା । ଯଦି ଆପଣ ଜୁନ୍‌ ୨୪ରେ ଏହି ଦୃଶ୍ୟକୁ ଦେଖିବାରେ ବଞ୍ଚିତ ହେବେ, ତେବେ ପରବର୍ତ୍ତୀ ସମୟରେ ଆପଣ ୨୦୪୦ରେ ହିଁ ଏପରି କ୍ରମାଗତ ଭାବରେ ଏହି ପାଞ୍ଚଟି ଗ୍ରହକୁ ଦେଖିପାରିବେ ।