CulturalLatest

୮ କିଲୋର ସିଙ୍ଗଡ଼ା ଖାଇଲେ ମିଳିବ ୫୧ ହଜାର ଟଙ୍କା

ଲକ୍ଷ୍ମୌ (ସଂକେତ ଟିଭି): ଆଜିକାଲି ଫୁଡ୍ ଚ୍ୟାଲେଞ୍ଜ ଟ୍ରେଣ୍ଡରେ ରହିଛି । ଦୋକାନୀମାନେ ସେମାନଙ୍କର ଖାଦ୍ୟ ଆଇଟମ୍ ପ୍ରସାର ନିମନ୍ତେ ଲୋକମାନଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ ପ୍ରକାର ପୁରସ୍କାରର ଘୋଷଣା କରୁଛନ୍ତି । ଉତ୍ତରପ୍ରଦେଶର ମୀରଟରୁ ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ କୁର୍ତ୍ତି ବଜାରର ଜଣେ ମିଠା ଦୋକାନର ମାଲିକ ତାଙ୍କ ଦୋକାନରେ ପ୍ରସ୍ତୁତ ୮ କିଲୋ ଓଜନର ସିଙ୍ଗଡ଼ାକୁ ଯେଉଁ ଲୋକମାନେ ୩୦ ମିନିଟ୍ ମଧ୍ୟରେ ଖାଇଦେବେ ସେମାନଙ୍କୁ ୫୧ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ।

ଏ ସମ୍ପର୍କରେ ଦୋକାନର ମାଲିକ ଶୁଭାରାମ କୌଶଲ କହିଛନ୍ତି, ଆମ ଦୋକାନର ସିଙ୍ଗଡ଼ାର ପ୍ରସାର କରିବାକୁ ମୁଁ କିଛି ଅଲଗା କରିବାକୁ ଚାହୁଁଥିଲି । ତେଣୁ ଆମେ ୮ କିଲୋ ଓଜନର ‘ବାହୁବଳୀ’ ସିଙ୍ଗଡ଼ା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଲୁ । ଏତେ ଓଜନର ସିଙ୍ଗଡ଼ା ପ୍ରସ୍ତୁତ କରିବାକୁ ପ୍ରାୟ ୧୧ ଶହ ଟଙ୍କା ଖର୍ଚ୍ଚ ହେଉଛି । ଦେଢ଼ ଘଣ୍ଟା ମଧ୍ୟରେ ଏହା ବନାଯାଉଛି । ସିଙ୍ଗଡ଼ା ମଧ୍ୟରେ ଆଳୁ, ମଟର, ଛେନା ଓ ଡ୍ରାଏ ଫ୍ରୁଟ୍ ଭରପୁର ଭାବେ ଦିଆଯାଇଛି ।

ଏ ସମ୍ପର୍କରେ ଆମେ ଘୋଷଣା କରିବା ପରଠାରୁ ବହୁ ଲୋକ ଆମ ଦୋକାନକୁ ଚ୍ୟାଲେଞ୍ଜକୁ ପୂରଣ କରିବାକୁ ଆସିଛନ୍ତି । କିନ୍ତୁ କେହି ସେଥିରେ ସଫଳ ହୋଇନାହାନ୍ତି । କେବଳ ସେତିକି ନୁହେଁ, ଦେଶର ବିଭିନ୍ନ ଭାଗର ଫୁଡ୍ ବ୍ଲଗରମାନେ ଏହି ‘ବାହୁବଳୀ’ ସିଙ୍ଗଡ଼ାକୁ ଦେଖିବାକୁ ଆସୁଛନ୍ତି । ସେମାନେ ଏହାର ଫଟୋ ଓ ଭିଡିଓକୁ ନିଜ ନିଜ ବ୍ଲଗ୍‌ରେ ପୋଷ୍ଟ କରୁଛନ୍ତି । ତେଣୁ ପୂର୍ବାପେକ୍ଷା ଆମ ଦୋକାନର ବିକ୍ରି ବହୁ ଗୁଣରେ ବଢ଼ିଛି ବୋଲି ସେ ପ୍ରକାଶ କରିଛନ୍ତି । ଆଗକୁ ସେ ୧୦ କିଲୋ ଓଜନର ସିଙ୍ଗଡ଼ା ପ୍ରସ୍ତୁତ କରିବାକୁ ଟାର୍ଗେଟ୍ ରଖିଛନ୍ତି । ସେଥିଲାଗି ସିଙ୍ଗଡ଼ା ପିଛା ପ୍ରାୟ ୧୩୦୦ ଟଙ୍କା ଖର୍ଚ୍ଚ ହେବ ।