BusinessFeaturedLatest

ପ୍ରଥମ ସୌର ଚାଳିତ କାରର ବଜାର ପ୍ରବେଶ ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ (ସଂକେତ ଟିଭି):ବଢ଼ୁଥିବା ଜନସଂଖ୍ୟା ସହ ତାଳ ଦେଇ ସୀମିତ ହୋଇ ଚାଲିଛି ଶକ୍ତି ଉତ୍ପାଦନର ଉତ୍ସ । ବଢୁଛି ପେଟ୍ରୋଲ ଓ ଡିଜେଲ ଭଳି ଇନ୍ଧନର ଦର । ଯାହାକୁ ଦେଖି ଚିନ୍ତିତ ଥିବା କାର ସଉକିଆ ମଣିଷଙ୍କ ପାଇଁ ଖୁସି ଖବର । ତେଲ ଦର ଚିନ୍ତାରୁ ମୁକ୍ତି ଦେବାକୁ ବଜାରକୁ ଆସୁଛି ସୌରଚାଳିତ କାର । ବିଶ୍ୱର ପ୍ରଥମ ସୌର ଚାଳିତ କାରର ବଜାର ପ୍ରବେଶ ଘୋଷଣା କରିଛି ଡଚ କମ୍ପାନୀ ‘ଲାଇଟ ଇୟର’ ।

ଆସନ୍ତା ନଭେମ୍ବର ସୁଦ୍ଧା ଏହି ସୌର ଶକ୍ତି ଚାଳିତ କାର ବଜାର ପ୍ରବେଶ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । କାରରେ ସାଧାରଣ ସୋଲାର ପ୍ୟାନେଲ ସହ ସ୍ୱତନ୍ତ୍ର ଭାବେ ନିର୍ମିତ ବକ୍ର ସୋଲାର ପ୍ୟାନେଲ ମଧ୍ୟ ଖଞ୍ଜିବାର ଯୋଜନା କରିଛି କମ୍ପାନୀ । କାରଟିର ନାମ ‘ଲାଇଟ ଇୟର ଜିରୋ’ ରହିଛି । ଏହି ଅତ୍ୟାଧୁନିକ କାର ଗୋଟିଏ ଥର ଚାର୍ଜରେ ପ୍ରାୟ ୩୮୮ ମାଇଲ ଚାଲି ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ପୂର୍ବରୁ କମ୍ପାନୀର ଟେସଲାର ‘୩ କାର’, ଯାହା ୩୭୪ ମାଇଲ ଯାଉଥିଲା ତାହା ତୁଳନାରେ ଏହି ସୌର ଚାଳିତ କାର୍ ଅଧିକ ବାଟ ଯିବ । ୩କାରଠାରୁ ଏହା ଅଧିକ ୧୪ ମାଇଲ ଯାଇପାରିବ । କମ୍ପାନୀ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ଘଣ୍ଟା ଖରାରେ କାରର ବ୍ୟାଟେରୀ ୬ ମାଇଲ ଯାଏଁ ଚାର୍ଜ ହୋଇ ପାରିବ । ଏଥିପାଇଁ କୌଣସି ଚାର୍ଜର ଦରକାର ହେବନି । ମେଘାଛନ୍ନ ସ୍ଥାନରେ ପାଖାପାଖି ୨ ମାସ ପରେ ବ୍ୟାଟେରୀ ଚାର୍ଜର ଆବଶ୍ୟକ ହୋଇପାରେ । କମ୍ପାନୀ ସିଇଓ ଓ ସହ-ପ୍ରତିଷ୍ଠାତା ଲେକ୍ସ ହୋଫସ୍କୁଟ୍ କହିଛନ୍ତି, କାରର ବ୍ୟାଟେରୀ ଛୋଟ କରିବାକୁ ଚେଷ୍ଟା କରାଯାଇଛି । ଏରୋଡାଇନାମିକ ଆକାର ଓ ଛୋଟ ବ୍ୟାଟେରୀ କାରକୁ ବେଗ ପ୍ରଦାନ କରିଛି ।