EntertainmentFeaturedLatest

ତୁରନ୍ତ ଥାନାରେ ହାଜର ହେବାକୁ ବାବୁସାନ୍-ପ୍ରକୃତିଙ୍କୁ ପୋଲିସର ନୋଟିସ୍

ଭୁବନେଶ୍ବର(ସଂକେତ ଟିଭି): : ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ପୋଲିସ ନୋଟିସ୍ କରିଛି । ଉଭୟେ ରାଜ୍ୟ ବାହାରେ ଥିବାରୁ ଫୋନ ଯୋଗେ ଏହି ନୋଟିସ ପଠା ହୋଇଛି। ଓଡ଼ିଶା ଫେରି ତୁରନ୍ତ ଥାନାରେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ପୋଲିସ ତରଫରୁ ଉଭୟଙ୍କୁ ଅବଗତ କରାଯାଇଛି।

ସେପଟେ ଖାରବେଳ ନଗର ଥାନା ପୋଲିସ ପ୍ରକୃତି ମିଶ୍ର ବୁକ କରିଥିବା ସତ୍ୟନଗର ଅଞ୍ଚଳରେ ଥିବା ଗେଷ୍ଟ ହାଉସ ଯାଇ ତଦନ୍ତ କରିଛି। ଏହି ଗେଷ୍ଟ ହାଉସକୁ ପ୍ରକୃତି ୩ ଦିନ ପାଇଁ ବୁକ କରିଥିଲେ। ସେଠାରେ ପ୍ରକୃତି ଓ ବାବୁସାନ ଏକାଠି ରହୁଥିବା ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ ଆଣିଛନ୍ତି। ବାବୁସାନଙ୍କୁ ସେହି ଗେଷ୍ଟ ହାଉସରେ ରହିଥିବାର ସ୍ଥାନୀୟ ଲୋକ ଦେଖିଥିଲେ ବୋଲି ସୂଚନା ମିଳିଥିଲା।

ଗତକାଲିର ଘଟଣା ଘଟିଥିବା ଘଟଣାସ୍ଥଳରେ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପୋଲିସ ପଚରାଉଚରା କରୁଛି । ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ଜଣଙ୍କ ବୟାନ ରେକର୍ଡ କରିଛି । ସେପଟେ ଆଜି ତୃପ୍ତିଙ୍କ ଘରକୁ ତଦନ୍ତକାରୀ ଟିମ୍ ଯିବେ । ପୋଲିସ ତୃପ୍ତିଙ୍କ ମଉସା ଓ ମାଉସୀଙ୍କୁ ପଚରାଉଚରା କରିସାରିଛି । ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗ କ୍ରମେ ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ ହୋଇଛି ।

ତୃପ୍ତି ଥାନାରେ ଉଭୟ ସ୍ବାମୀ ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି । ପ୍ରକୃତି ପାଇଁ ପ୍ରାୟ ୨ ବର୍ଷ ହେଲା ତାଙ୍କ ସାଂସାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା ବୋଲି ତୃପ୍ତି ଅଭିଯୋଗ କରିଛନ୍ତି। ବାବୁସାନ୍ ତାଙ୍କୁ ଟଙ୍କାଟିଏ ଦେଉନଥିଲେ, ଅଥଚ ପ୍ରକୃତିଙ୍କୁ ହୀରା ଗହଣା ଉପହାର ଦେଉଥିଲେ । ମାସ ମାସ ଧରି ଘର ଛାଡ଼ି ପ୍ରକୃତିଙ୍କ ସହ ରହୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ।

ସେହିଭଳି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ୨ ବର୍ଷ ହେବ ବାବୁସାନ୍ ଓ ପ୍ରକୃତି ଲିଭ୍‌ଇନ୍‌ରେ ରହୁଥିଲେ ।ଏନେଇ ୨୦୨୦ ସେପ୍ଟେମ୍ବର ୨୩ ଓ ୨୫ରେ ଉଭୟ ପରିବାରକୁ ନେଇ ୨ଥର ବୈଠକ ବସିଥିଲା । ମାତ୍ର ଝଗଡ଼ା ବଢ଼ିଥିଲା ସିନା କୌଣସି ସମାଧାନ ହୋଇନଥିଲା । ଉଭୟ ଦିନକୁ ଦିନ ଅଧିକ ନିକଟତର ହୋଇଥିଲେ । ଅନେକ ସମୟରେ ପ୍ରକୃତିଙ୍କ ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରେ ବାବୁସାନ୍ ରହୁଥିଲେ । ସେମାନେ ଗୋଆରେ ବୁଲୁଥିଲେ। ସେମାନଙ୍କୁ ୩ଥର ସେ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛନ୍ତି । ତେବେ ଗତ କିଛି ମାସ ହେଲା ବାବୁସାନ୍ ଆଉ ତାଙ୍କ ପାଖକୁ ଘରକୁ ଆସୁନଥିଲେ ।