FeaturedLatest

୨୦୨୩ରେ ଜନସଂଖ୍ୟାରେ ଚୀନ୍‌କୁ ଟପିବ ଭାରତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆସନ୍ତା ୨୦୨୩ରେ ଭାରତ ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାବେ ଚୀନକୁ ପଛରେ ପକାଇବ । ଅର୍ଥାତ ଜନସଂଖ୍ୟାରେ ଚୀନ୍‌କୁ ଭାରତ ଟପିଯିବ । ଏହାର ପ୍ରମୁଖ କାରଣ ହେଉଛି ଚୀନ୍‌ରେ ଏକ ସନ୍ତାନ ନୀତି । ଚୀନ୍‌ରେ ବର୍ତ୍ତମାନ କମ୍‌ ଶିଶୁ ଜନ୍ମ ନେଉଛନ୍ତି । ଯାହାକୁ ନେଇ ଚୀନ୍‌ ଏବେ ଚିନ୍ତିତ । ଚୀନ୍‌ର ଅଧିକାଂଶ ବିବାହିତ ଯୁବକ କେବଳ ଗୋଟିଏ ସନ୍ତାନ ଜନ୍ମ ଦେବାକୁ ଚାହୁଁଛନ୍ତି । କିନ୍ତୁ ଚୀନ୍‌ ସରକାର ସେମାନଙ୍କ ଠାରୁ ୩ ସନ୍ତାନ ଚାହୁଁଛନ୍ତି।

ପରିସ୍ଥିତି ଏଭଳି ହୋଇଛି ଯେ ବହୁ ଯୁବକଯୁବତୀ ବିବାହ ମଧ୍ୟ କରୁନାହାନ୍ତି । ଏପରିକି କିଛି ଯୁବତୀ ବହୁ ବିଳମ୍ବରେ ବିବାହ କରୁଛନ୍ତି । ଯାହାଫଳରେ ସେମାନେ ଗର୍ଭଧାରଣରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି । ବିଳମ୍ବରେ ବିବାହ କଲେ ତାର ପ୍ରଭାବ ସନ୍ତାନ ଜନ୍ମ ଉପରେ ପଡୁଛି।ବର୍ତ୍ତମାନ ଚୀନ୍‌ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାବେ ପରିଚିତ । ଜନସଂଖ୍ୟାର ବିସ୍ଫୋରଣକୁ ଦୃଷ୍ଟିରେ ରଖି ଚୀନ୍‌ ସରକାର ୧୯୮୦ରୁ ଆରମ୍ଭ କରିଥିଲେ ଏକ ସନ୍ତାନ ନୀତି । ଯାହାକି ୨୦୧୫ ପର୍ଯ୍ୟନ୍ତ ଜାରି ରହିଥିଲା । ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଆସନ୍ତାବର୍ଷ ଠାରୁ ଚୀନ୍‌ର ଜନସଂଖ୍ୟା ହ୍ରାସ ପାଇବାକୁ ଥିବା ବେଳେ ଭାରତ ତାକୁ ପଛରେ ପକାଇବ ବୋଲି ଜାତିସଂଘ ପକ୍ଷରୁ ଅନୁମାନ କରାଯାଇଛି ।

ସେପଟେ ବିଶ୍ୱରେ ଲଗାତାର ଭାବେ ବଢ଼ି ଚାଲିଛି ଜନସଂଖ୍ୟା । ଜନସଂଖ୍ୟା ବିସ୍ଫୋରଣ ଏକ ବଡ଼ ସମସ୍ୟା ଭାବେ ଉଭା ହେବାରେ ଲାଗିଛି । ଏଭଳି ସ୍ଥିତିରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ବିଶ୍ୱ ଜନସଂଖ୍ୟା ୮୦୦ କୋଟିକୁ ଟପିଯିବ । ଜାତିସଂଘ ଏହି ସୂଚନା ଦେଇଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ମାନବ ବିକାଶରେ ଏହା ଏକ ମାଇଲଖୁଣ୍ଟ ହେବାକୁ ଯାଉଛି ।

ବିଶ୍ୱ ଜନସଂଖ୍ୟା ସମ୍ଭାବନା ୨୦୨୨ ରିପୋର୍ଟ ଅନୁସାରେ ବର୍ତ୍ତମାନ ବିଶ୍ୱରେ ଯେଉଁ ଅନୁପାତରେ ଜନସଂଖ୍ୟା ବଢ଼ି ଚାଲିଛି ଆଗାମୀ ୨୦୩୦ ବେଳକୁ ତାହା ୮୫୦ କୋଟି, ୨୦୫୦ ବେଳକୁ ୯୭୦ କୋଟି ଏବଂ ୨୦୮୦ ବେଳକୁ ୧୦୪୦ କୋଟିରେ ପହଞ୍ଚିବ । ଏହା ପରେ ଜନସଂଖ୍ୟାରେ ସ୍ଥିରତା ଆସିବ । ୨୧୦୦ ମସିହା ପର୍ଯ୍ୟନ୍ତ ଏହି ସଂଖ୍ୟା ସ୍ଥିର ରହିବ ବୋଲି ଆଶା କରାଯାଉଛି । ତେବେ ଏହି ସମୟ ଭିତରେ ଅଧାରୁ ଅଧିକ ଜନସଂଖ୍ୟା ବୃଦ୍ଧି ବିଶ୍ୱର ୮ଟି ଦେଶରେ ଦେଖିବାକୁ ମିଳିବ। ଏସବୁ ଦେଶ ମଧ୍ୟରେ ରହିଛି ଭାରତ, କଙ୍ଗୋ, ମିଶର, ଇଥିଓପିଆ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ ଓ ତାଞ୍ଜାନିଆ। ଜନସଂଖ୍ୟା ବୃଦ୍ଧି ଯୋଗୁ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ଲାଗି ଯେଉଁ ଉଦ୍ୟମ କରାଯାଉଛି ତାହା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ବିଶ୍ୱରେ ଜନସଂଖ୍ୟା ବଢ଼ୁଛି କିନ୍ତୁ ଏହି ହାରରେ ବ୍ରେକ୍‌ ଲାଗିଛି । ଜନସଂଖ୍ୟା ୭୦୦ କୋଟିରୁ ୮୦୦ କୋଟିରେ ପହଞ୍ଚିବାକୁ ୧୨ ବର୍ଷ ସମୟ ଲାଗିଛି । କିନ୍ତୁ ଏହି ସଂଖ୍ୟା ୯୦୦ କୋଟିରେ ପହଞ୍ଚିବାକୁ ୧୫ ବର୍ଷ ଲାଗିବ ।

ବର୍ତ୍ତମାନ ବିଶ୍ୱରେ ପ୍ରତି ମହିଳାଙ୍କ ପ୍ରଜନନ ହାର ରହିଛି ୨.୩ । ୧୯୫୦ରେ ଏହା ୫ ଥିଲା । କିନ୍ତୁ ଜନସଂଖ୍ୟାରେ ବ୍ରେକ୍‌ ଲଗାଇବାକୁ ହେଲେ ଏହି ହାର ୨.୧ ତଳକୁ ଆଣିବାର ଆବଶ୍ୟକତା ରହିଛି । ଏହି ଲକ୍ଷ୍ୟ ୨୦୫୦ ବେଳକୁ ହାସଲ ହେବାର ସମ୍ଭାବନା ରହିଛି । ଯଦି ଏହା ସମ୍ଭବ ହୁଏ ତେବେ ସେହି ସମୟ ବେଳକୁ ପିଲାଙ୍କ ତୁଳନାରେ ବୟସ୍କଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଇଥିବ । ଅର୍ଥାତ ୬୫ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୫ ବର୍ଷରୁ କମ୍‌ ବୟସର ପିଲାଙ୍କ ତୁଳନାରେ ୨ ଗୁଣ ହେବ ବୋଲି ଜନସଂଖ୍ୟା ସମ୍ଭାବନା ରିପୋର୍ଟରେ ଅନୁମାନ କରାଯାଇଛି ।