CulturalLatest

୨୦୨୮ ସୁଦ୍ଧା ସ୍ପେସ୍‌ ବେବୀ

ନୂଆଦିଲ୍ଲୀ : (ସଂକେତ ଟିଭି) ୧୯୬୧ ମସିହାରେ ମାନବ ପ୍ରଥମେ ମହାକାଶ ଯାଇଥିଲା । ଏହାପରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠିଥିଲା ଯେ, ମହାକାଶରେ କ’ଣ ସନ୍ତାନ ଜନ୍ମ ସମ୍ଭବ । ସାରା ବିଶ୍ୱର ବୈଜ୍ଞାନିକ ୬୨ ବର୍ଷ ପରେ ମଧ୍ୟ ଏହି ପ୍ରଶ୍ନର ସଠିକ୍‌ ଉତ୍ତର ଖୋଜି ପାଇ ପାରିନାହାନ୍ତି । ତେବେ ବ୍ରିଟେନ୍‌ ଓ ନେଦରଲ୍ୟାଣ୍ଡର ବୈଜ୍ଞାନିକ ଖୁବ୍‌ ଶୀଘ୍ର ଏହି ପ୍ରଶ୍ନର ଉତ୍ତର ସମସ୍ତଙ୍କ ପାଖରେ ରଖିବାକୁ ଯାଉଛନ୍ତି ବୋଲି ଦାବୀ କରିଛନ୍ତି ।

ଆଇ ନ୍ୟୁଜ୍‌ ରିପୋର୍ଟ ଅନୁଯାୟୀ ବ୍ରିଟିଶ ବୈଜ୍ଞାନିକ ଡଚ୍‌ କମ୍ପାନୀ ସ୍ପେସ୍‌ବର୍ଣ୍ଣ ୟୁନାଇଟେଡ୍‌ ସହ ମିଶି ଆସିଷ୍ଟେଡ୍‌ ରିପ୍ରଡକ୍ସନ ଟେକ୍ନୋଲଜି ଇନ୍‌ ସ୍ପେସ୍‌ ମଡ୍ୟୁଲ ପ୍ରସ୍ତୁତ କରୁଛି । ଏହା ଜରିଆରେ ଆଇଭିଏଫ୍‌ ଟ୍ରିଟମେଣ୍ଟରେ ଭୃଣର ବିକାଶ ହେବ ଓ ଏହାକୁ ପୃଥିବୀକୁ ଅଣାଯାଇ ମହିଳାଙ୍କ ଗର୍ଭରେ ପ୍ରତିରୋପଣ କରାଯିବ । ପୃଥିବୀ ପୃଷ୍ଠରେ ଜନ୍ମ ନେବାକୁ ଥିବା ଏହି ଶିଶୁକୁ ସ୍ପେସ୍‌ ବେବୀ କୁହାଯିବ ।

ସ୍ପେସ୍‌ବର୍ଣ୍ଣର ପ୍ରତିଷ୍ଠାତା ଡାକ୍ତର ଏଗବର୍ଟ ଏଡେଲ୍‌ବ୍ରୋଏକ୍‌ କହିଛନ୍ତି, ଏହି ପ୍ରୋଜେକଫର ଅନ୍ତିମ ଲକ୍ଷ୍ୟ ପୃଥିବୀ ବାହାରେ ପ୍ରାକୃତିକ ଉପାୟରେ ସନ୍ତାନ ଜନ୍ମ ଦେବା । ତେବେ ଏହା ପୂର୍ବରୁ ଏହି ଟେକ୍ନୋଲଜିକୁ ମହାକାଶରେ ପରୀକ୍ଷଣ କରିବାକୁ ହେବ । ଏହି ପ୍ରୋଜେକ୍ଟ ଲାଗି ସର୍ବପ୍ରଥମେ ମୂଷା ଉପରେ ପରୀକ୍ଷଣ କରାଯିବ । ମୂଷାର ସ୍ପର୍ମ ଓ ଅଣ୍ଡା ମହାକାଶରେ ଫର୍ଟିଲାଇଜ୍‌ କରାଯିବ । ଏହି ମଡ୍ୟୁଲର ଟେକ୍ନୋଲଜି ଟେଷ୍ଟ ଲାଗି ପ୍ରଥମ ଫ୍ଲାଇଟ୍‌ ଏପ୍ରିଲରେ କାନାଡା ଗସ୍ତ କରିବ ।

ରିସର୍ଚ୍ଚ ଅନୁସାରେ ଆଇଭିଏଫ୍‌ ୱାର୍କିଂ ବିଶିଷ୍ଟ ଫୁଲ ଫଙ୍କସନିଂ ବାୟୋ ସାଟେଲାଇଟ୍‌ ୧୮ରୁ ୨୪ ମାସ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ ଏହି ସ୍ପେସ୍‌ବର୍ଣ୍ଣ କମ୍ପାନୀ ୨୦୧୬ରେ ପ୍ରତିଷ୍ଠା ହୋଇଥିଲା । ଏହାର ଉଦ୍ଦେଶ୍ୟ ମହାକାଶରେ ପ୍ରଥମ ମାନବ ବସତି ସ୍ଥାପନ କରିବା ।

ଡା. ଏଡେଲ୍‌ବ୍ରୋଏକ୍‌ କହିଛନ୍ତି ଆଗାମୀ ୫ ବର୍ଷ ମଧ୍ୟରେ ମାନବ କୋଷ ସହିତ ବାୟୋ ସାଟେଲାଇଟ୍‌କୁ ମହାକାଶକୁ ପଠାଯିବ । ଏହା ସହିତ ୨୦୩୧ ସୁଦ୍ଧା ମହାକାଶରେ ପ୍ରଥମ ମାନବ ଶିଶୁ ଜନ୍ମ ନେବ । ତେବେ ଏହା ପୃଥିବୀର ନିମ୍ନ କକ୍ଷରେ ହିଁ ସମ୍ଭବ ହେବ ।