ଦିଲ୍ଲୀ ଟେଷ୍ଟରେ ୬ ଓ୍ବିକେଟରେ ହାରିଲା ଅଷ୍ଟ୍ରେଲିଆ, ଭାରତ ୨-୦ରେ ଅଗ୍ରଣୀ
ନୂଆଦିଲ୍ଲୀ : (ସଂକେତ ଟିଭି ) ‘ବର୍ଡର୍-ଗାଭାସ୍କର୍ ଟ୍ରଫି’ର ଦ୍ବିତୀୟ ଟେଷ୍ଟ୍ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରି ଏହି ୪ ମ୍ୟାଚ୍ ସିରିଜ୍ରେ ୨-୦ରେ ଅଗ୍ରଣୀ ରହିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଚାଲିଥିବା ଏହି ଟେଷ୍ଟ୍ ମ୍ୟାଚ୍ର ତୃତୀୟ ଦିବସରେ ଭାରତ ଅଷ୍ଟ୍ରେଲିଆକୁ ମାତ୍ ଦେଇଛି ।
ଦିଲ୍ଲୀ ଟେଷ୍ଟ ଜିତିବା ପରେ ଭାରତ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ରାସ୍ତା ଧୀରେ ଧୀରେ ଖୋଲିବାରେ ଲାଗିଛି । ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିଆନସିପ୍ ଗୋଟିଏ ଅଂଶ ହେଇଛି ବର୍ଡର ଗାଭାସ୍କର ଟ୍ରଫି । ଅଷ୍ଟ୍ରେଲିଆ ବିରୋଧରେ ଚାଲୁଥିବା ଏହି ସିରିଜର ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ୨ଟି ମ୍ୟାଚ ହାରିଥିଲେ ମଧ୍ୟ ଭ୍ରମଣକାରୀ ଦଳ ଉପରେ କୌଣସି ଖାସ୍ ପ୍ରଭାବ ପଡ଼ିନାହିଁ । ଟେବୁଲରେ ରହିଛି କଙ୍ଗାରୁ ଦଳ । ହେଲେ ପଏଣ୍ଟରେ ଅଳ୍ପ କିଛି ଅନ୍ତର ରହିଛି । ଆଗକୁ ଖେଳାଯିବାକୁ ୨ଟି ଟେଷ୍ଟ ମ୍ୟାଚରୁ ଗୋଟିଏରେ ବିଜୟୀ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିଆନସିପ୍ ଫାଇନାଲକୁ ଭାରତ ସିଧା ସିଧା କ୍ବାଲିଫାଏ କରିବ । ଅନ୍ୟପେଟ ଅଷ୍ଟ୍ରେଲିଆ ଟିମ୍ ଯଦି ୨ଟି ମ୍ୟାଚରେ ହାରି ଯାଏ ଏବଂ ଶ୍ରୀଲଙ୍କା ୨ଟି ମ୍ୟାଚ ଜିତିଲେ, ଡବ୍ଲୁଟିସି ଫାଇନାଲ ରେସରୁ ଅଷ୍ଟ୍ରେଲିଆ ବାହାରିଯିବ ।
ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ୧୬ଟି ମ୍ୟାଚରୁ ୭୦.୮୩ ପଏଣ୍ଟ ପାଇଥିଲା । ଏଥିରୁ ୧୦ଟି ବିଜୟ ମିଳିଥିଲେ ମଧ୍ୟ ଲଗାତାର ଦୁଇଟି ହାରି ୬୬.୬୭ ପଏଣ୍ଟକୁ ଖସି ଆସିଛି । ସେପଟେ ଭାରତୀୟ ଟିମ୍ ଦ୍ବିତୀୟ ଟେଷ୍ଟ ପୂର୍ବରୁ ୬୧.୬୭ ପଏଣ୍ଟ ଥିଲା । ୨ଟି ଟେଷ୍ଟ ଜିତିବା ପରେ ଏହା ବଢି ୬୪.୦୬ ଅଙ୍କରେ ପହଞ୍ଚିଛି । ମୋଟ୍ ୧୬ଟି ମ୍ୟାଚରୁ ଭାରତକୁ ୧୦ଟି ବିଜୟ ମିଳିଥିବା ବେଳେ ୪ଟି ପରାଜୟ ସାମ୍ନା କରିବାକୁ ପଡ଼ିଛି ।
ସେହିପରି ଅଷ୍ଟ୍ରେଲିଆ ଦଳ ଆଗକୁ ଖେଳାଯିବାକୁ ଥିବା ୨ଟି ଟେଷ୍ଟ ହାରିଲେ ପଏଣ୍ଟ ହ୍ରାସ ପାଇ ୫୯.୬୫ ପ୍ରତିଶତ ଅଙ୍କରେ ପହଞ୍ଚିବ ଏବଂ ୫୩.୩୩ ଅଙ୍କ ପାଇ ତୃତୀୟ ସ୍ଥାନରେ ରହିଥିବା ଶ୍ରୀଲଙ୍କା ପାଇଁ ଡବ୍ଲଟିସି ଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ମିଳିବ । ଶ୍ରୀଲଙ୍କା ସିରିଜର ଅନ୍ତିମ ଟେଷ୍ଟ ଘରୋଇ ମାଟି ନ୍ୟୁଜିଲାଣ୍ଡ ସହିତ ଖେଳିବ । ଦଳ ୨ଟି ମ୍ୟାଚରେ ବିଜୟୀ ହେଲେ ୬୧.୧୧ ପଏଣ୍ଟ ସହିତ ଫାଇନାଲରେ ପ୍ରବେଶ କରିବ ।
ତେବେ ଆଜିର ଏହି ମ୍ୟାଚ୍ରେ ଭାରତକୁ ବିଜୟମଣ୍ଡିତ କରିବାରେ ରବିନ୍ଦ୍ର ଜାଦେଜାଙ୍କ ଅବଦାନ ଯଥେଷ୍ଟ। ସେ ୪୨ ରନ୍ ବିନିମୟରେ ୭ ୱିକେଟ୍ ହାସଲ କରିଛନ୍ତି। ସେହିପରି, ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୫୯ ରନ୍ ବିନିମୟରେ ୩ ୱିକେଟ୍ ହାସଲ କରିଛନ୍ତି। ଆଜି ସମୁଦାୟ ୧୧୩ ରନ୍ କରି ଅଷ୍ଟ୍ରେଲିଆ ତା’ର ଦ୍ବିତୀୟ ଇନିଙ୍ଗ୍ସ୍ ପରିସମାପ୍ତି କରିଥିଲା।
ସଂକ୍ଷିପ୍ତ ସ୍କୋର୍: ଏହି ମ୍ୟାଚ୍ର ପ୍ରଥମ ଇନିଙ୍ଗ୍ସ୍ରେ ୨୬୩ ରନ୍ କରିଥିବା ଅଷ୍ଟ୍ରେଲିଆ ଆଜି ଦ୍ବିତୀୟ ଇନିଙ୍ଗ୍ସ୍ରେ ୩୧.୧ ଓଭର୍ ଖେଳି ୧୧୩ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା।
ସେହିପରି, ଭାରତ ପ୍ରଥମ ଇନିଙ୍ଗ୍ସ୍ରେ ୨୬୨ ଏବଂ ଦ୍ବିତୀୟ ଇନିଙ୍ଗ୍ସ୍ରେ ୨୬.୪ ଓଭର୍ ଖେଳି ୧୧୮ ରନ୍ କରିଥିଲା। ରୋହିତ ଶର୍ମା ୩୧ ଓ ଚେତେଶ୍ବର ପୂଜାରା ୩୧ ରନ୍ କରି ନଟ୍ ଆଉଟ୍ ଥିଲେ। ଉଲ୍ଲେଖଯୋଗ୍ୟ, ଆଜି ତାଙ୍କର ୧୦୦ତମ ଟେଷ୍ଟ୍ ମ୍ୟାଚ୍ରେ ଚେତେଶ୍ବର ବିଜୟ ରନ୍ ଦଳ ପାଇଁ ହାସଲ୍ କରିଥିଲେ।