Latest

ଭାରତରେ ରହୁଛି ବିଶ୍ୱର ସର୍ବ ବୃହତ୍ତ ପରିବାର, ୧୦୦ ବଖରା ଘରେ ରହୁଛନ୍ତି ସଦସ୍ୟ

ନୂଆଦିଲ୍ଲୀ : (ସଂକେତ୍ ଟିଭି) କୁହାଯାଏ ଛୋଟ ପରିବାର ସୁଖି ପରିବାର । ତେବେ ଆମ ଦେଶରେ ଏପରି ଏକ ପରିବାର ରହୁଛି ଯାହା କେବଳ ବଡ ନୁହେଁ ବିଶ୍ୱର ସର୍ବ ବୃହତ୍ତ ପରିବାର ଭାବେ ଜଣାଯାଏ । ଏହି ପରିବାରର ସଦସ୍ୟଙ୍କ ସଂଖ୍ୟା ୧୮୦ ଓ ସେମାନେ ଏକ ୧୦୦ ବଖରିଆ ଘରେ ବସବାସ କରୁଛନ୍ତି । ଏହି ପରିବାରର ପୁରୁଷ, ମହିଳା ଓ ପିଲାଙ୍କ ସଂଖ୍ୟା ମିସି ୧୮୦ରୁ ବି ଅଧିକ । ଏହି ପରିବାରଟି ମିଜୋରାମ ରାଜ୍ୟର ବଟବଙ୍ଗ ଗାଁରେ ବସବାସ କରୁଛି ।

ପରିବାରର ମୁଖିଆ ଥିଲେ ଜିଓନା ଚାନା । ଜିଓନାଙ୍କ ୩୯ଜଣ ପତ୍ନୀ ହୋଇଥିବା ବେଳେ ସେମାନଙ୍କର ୯୦ରୁ ଅଧିକ ସନ୍ତାନ ସନ୍ତତି ଅଛନ୍ତି । ଜିଓନାଙ୍କ ପରିବାରରେ ୩୦ ରୁ ଅଧିକ ନାତିନାତୁଣୀ ବି ରହୁଛନ୍ତି । ପରିବାରର ହିସାବ କଲେ ମୋଟ ୧୮୦ ଜଣ ସଦସ୍ୟ ଅଛନ୍ତି । ବଟବଙ୍ଗ ଗାଁରେ ପରିବାରର ଏକ ବହୁତ ବଡ଼ ଘର ଅଛି । ଏହି ଘରର ବଖରା ସଂଖ୍ୟା ପ୍ରାୟ ୧୦୦ । ପରିବାର ଲୋକେ କାଠ କାମ କରି ପରିବାରର ଦୈନନ୍ଦିନ ଖର୍ଚ୍ଚ ର୍ନିବାହ କରନ୍ତି ।

ବିଶ୍ୱର ଏହି ସର୍ବ ବୃହତ୍ତ ପରିବାର ଲାଗି ୧୦୦ ବଖରାର ଘରେ ଏକ ବୃହତ୍ତ ରୋଷେଇ ଶାଳ ମଧ୍ୟ ରହିଛି । ଯେଉଁଠି ଦୈନିକ ୨୦୦ ଲୋକଙ୍କ ପାଇଁ ଖାଦ୍ୟ ରୋଷେଇ ହୋଇଥାଏ । ଘରର ମହିଳାମାନେ ପରିବାର ଲୋକଙ୍କୁ ଖାଇବାକୁ ଦେବାକୁ ସକାଳୁ ରୋଷେଇ କାମରେ ଲାଗିପଡନ୍ତି । ଏହି ପରିବାର ଲାଗି ଦିନକୁ ୨୫ କେଜି ଡାଲି, ୪୫ କେଜି ଚାଉଳ, ୩୦ରୁ ୪୦ଟି କୁକୁଡା, ୬୦ କେଜି ପନି ପରିବା ଓ ଡଜନ ଡଜନ ଅଣ୍ଡା ଆବଶ୍ୟକ ପଡିଥାଏ । ଏହି ପରିବାରର ଲାଗି ଦୈନିକ ରୋଷେଇ ନିମନ୍ତେ ବ୍ୟବହାର ହେଉଥିବା ସାମଗ୍ରୀ ଗ୍ରାମର କୌଣସି ପରିବାରର ୨ ମାସର ଖର୍ଚ୍ଚ ବୋଲି କୁହାଯାଏ ।

ଏହି ପରିବାର ଦିନକରେ ୨୦ କେଜି ଫଳ ଖାଇଥାନ୍ତି । ମିଜୋରାମରେ ଯେବେବି ର୍ନିବାଚନ ହୁଏ ଏହି ପରିବାରର ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ର୍ନିବାହ କରିଥାନ୍ତି । ଏଣୁ ର୍ନିବାଚନ ସମୟରେ ଜିଓନାଙ୍କ ପରିବାରକୁ ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏହି ପରିବାରର ଭୋଟ ଯେଉଁ ଆଡକୁ ଯାଏ ସେହି ଦଳର ଜିତାପଟ ହୁଏ । ତେବେ ଜିଓନା ଚନା ଏବେ ଆଉ ନାହାନ୍ତି, ତାଙ୍କର ୧୩ ଜୁନ ୨୦୨୧ରେ ପରଲୋକ ହୋଇଥିଲା । ତେବେ ପାରିବାରିକ ମୁଖିଆଙ୍କ ପରଲୋକ ପରେ ବି
ପରିବାର ପୂର୍ବ ଭଳି ଏକାର୍ଣ୍ଣବର୍ତ୍ତି ହୋଇ ରହିଛନ୍ତି ।