CrimeFeaturedLatestNews

ପ୍ରେମ ପାଇଁ ଘରମାଲିକଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ, ଦୁଇ ଅଭିଯୁକ୍ତ ଗିରଫ

ବାରିପଦା (ସଂକେତ ଟିଭି) : ମୟୂରଭଂଜ ଜିଲ୍ଲା ଶରତ ଥାନା ଅଞ୍ଚଳ ଅଶୋକଟିର ଡାହିସାହି ଗାଁରେ ଦୁଇ ଘର ଭଡ଼ାଟିଆଙ୍କ ପ୍ରେମ ସମ୍ପର୍କ ପାଇଁ ଘର ମାଲିକ ବଳି ପଡ଼ିଛନ୍ତି। ଭଡାଟିଆଙ୍କ ଖଣ୍ଡା ଚୋଟରେ ଘର ମାଲିକଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅଶୋକ ସେଠୀ ଓ ଅଶୋକ ମହାନ୍ତି।

ସୂଚନା ଅନୁସାରେ ଅଶୋକକୋଟି ଗାଁର ଶ୍ରୀରାମ ସିଂଙ୍କ ଘରେ ଅଶୋକ ସେଠୀ ଓ ଜଣେ ମହିଳା ଘର ଭଡ଼ା ନେଇ ରହିଥିଲେ। ଅଶୋକ ମୋବାଇଲ ଦୋକାନ କରିଥିଲା ବେଳେ ମହିଳା ଜଣକ ଟେଲର ଦୋକାନ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଏବିଷୟରେ ଜାଣିଲା ପରେ ଶ୍ରୀରାମ ସେମାନଙ୍କୁ ତାଗିଦ୍ କରିଥିଲେ, ଯାହାର ପ୍ରତିଶୋଧ ନେବା ପାଇଁ ଅଶୋକ ସେଠୀ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ।

ଗତ ୨୫ ତାରିଖରେ ଅଶୋକ ଘର ମାଲିକ ଶ୍ରୀରାମ ସିଂଙ୍କୁ ବ୍ୟାଙ୍କ ଚେକ୍ ଦେବା କଥା କହି ରାତିରେ ଘରୁ ଡାକି ଆଣିଥିଲା। କିନ୍ତୁ ଆଉ ଘରକୁ ଫେରିନଥିଲେ ଶ୍ରୀରାମ, ଯାହାକୁ ନେଇ ତାଙ୍କ ସ୍ତ୍ରୀ ମାଳତୀ ହେମ୍ବ୍ରମ ଶରତ ଥାନାରେ ଏକ ନିଖୋଜ ଅଭିଯୋଗ କରିଥଲେ। ଅଭିଯୋଗ ପରେ ଶରତ ଥାନା ଆଇଆଇସି ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା। ଏହି ଘଟଣାର ଦୁଇଜଣ ମାଷ୍ଟର ମାଇଣ୍ଡ ଅଶୋକ ସେଠୀ ଓ ତାଙ୍କ ସହଯୋଗୀ ଅଶୋକ ମହାନ୍ତିଙ୍କୁ ଗିରଫ କରି ଖୋଳତାଡ଼ ଆରମ୍ଭ କରିଥିଲା। ଅଭିଯୁକ୍ତମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଜବତ କରିଥିଲା। ଶେଷରେ ଅଭିଯୁକ୍ତମାନେ ପୋଲିସକୁ କହିଥିଲେ ଯେ, ଶ୍ରୀରାମଙ୍କୁ ହତ୍ୟା ପରେ ସେମାନେ ବାଲେଶ୍ବର ଜିଲ୍ଲା ନୀଳଗିରି କୁଳଡିହା ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ଗଳିତ ଶବ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି।