FeaturedLatestNewsPolitics

ଜଗନ୍ନାଥ ମୋଦୀଙ୍କ ଭକ୍ତ କହି ଫସିଲେ ସମ୍ବିତ ପାତ୍ର, ନିନ୍ଦା କଲେ ନବୀନ, ରାହୁଲ

ଭୁବନେଶ୍ବର (ସଂକେତ ଟିଭି) : ମହାପ୍ରଭୂ ଜଗନ୍ନାଥ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭକ୍ତ ବୋଲି ଦେଇଥିବା ମନ୍ତବ୍ୟ ପାଇଁ ସମ୍ବିତ ପାତ୍ରଙ୍କ ସମେତ ବିଜେପି ବିବାଦ ଘେରକୁ ଆସିଛି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ଅବସରରେ ସମ୍ବିତ ଦେଇଥିବା ଏହି ମନ୍ତବ୍ୟକୁ ସବୁଆଡେ କଡା ଭାଷାରେ ନିନ୍ଦା କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଏହାକୁ ନିନ୍ଦା କରିବା ସହ ଜାତୀୟ ସ୍ତରରେ ମଧ୍ୟ ଏହି ପ୍ରସଙ୍ଗ ଚର୍ଚ୍ଚା ସୃଷ୍ଟି କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରମୁଖ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି ।

ଏହି ପ୍ରତିକ୍ରିୟାର ଭିଡିଓ କ୍ଲିପକୁ ବିଜେଡି ଓ କଂଗ୍ରେସ ନେତାମାନେ ସୋସିଆଲ ମିଡିଆରେ ସେୟାର କରି କଡା ସମାଲାଚନାତ୍ମକ ଟିପ୍ପଣୀ ଲେଖିଥିଲେ । ନିସର୍ତ୍ତ କ୍ଷମା ପ୍ରାର୍ଥନା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଏକ୍ସ’ ହ୍ୟାଣ୍ଡଲରେ ମଧ୍ୟ ଘଟଣାକୁ ନିନ୍ଦା କରାଯାଇଥିଲା । ଜଗନ୍ନାଥ ବିଶ୍ବର ଦେବତା, ସେ ଜଣେ ବ୍ୟକ୍ତିଙ୍କର ଭକ୍ତ କେମିତି ହେବେ । ଏହା ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ଓ ବିଶ୍ବର ବିଭିନ୍ନ କୋଣରେ ଥିବା ଓଡିଆ ଓ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ପ୍ରତି ଆଘାତ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟରେ ଲେଖିଥିଲେ । ଏହାକୁ ରିଟ୍ବିଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲେଖିଛନ୍ତି, ବିଜେପିର ଅହଂକାର ଚରମ ସୀମାରେ ପହଞ୍ଚିଛି । ସେମାନେ ନିଜକୁ ଇଶ୍ବରଙ୍କ ଠାରୁ ମଧ୍ୟ ଊର୍ଦ୍ଧ୍ବରେ ବୋଲି ଭାବୁଛନ୍ତି । ଏହା ଭଗବାନଙ୍କ ପ୍ରତି ଅପମାନ ।

କଂଗ୍ରେସର ଷ୍ଟାରନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ନାମ ନେଇ ‘ଏକ୍ସ’ରେ ସମାଲୋଚନାମୂଳକ ପୋଷ୍ଟ କରିଛନ୍ତି । ପାପର ମାତ୍ରା ବଢିଛି, ଲଙ୍କାଦହନ ନିକଟବର୍ତ୍ତୀ ହେଲାଣି । କୋଟି କୋଟି ଲୋକଙ୍କ ବିଶ୍ୱାସକୁ ଆଘାତ ଦେବା ପାଇଁ ହାତଗଣତି କିଛି ବିଜେପି ଲୋକଙ୍କୁ କି’ଏ ଅଧିକାର ଦେଇଛି ବୋଲି ଟ୍ବିଟରେ ପ୍ରଶ୍ନ କରିଛନ୍ତି ରାହୁଲ ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ସମ୍ବିତଙ୍କ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ । ସମ୍ବିତ କ୍ଷମା ମାଗନ୍ତୁ, ନହେଲେ ଦୃଢ଼ ବିରୋଧ କରାଯିବ । ରାସ୍ତାରେ ଚାଲିବାକୁ ଦିଆଯିବ ନାହିଁ ବୋଲି ଦଳ ଖୋଲା ଚେତାବନୀ ଦେଇଛି । ଗତକାଲି ରାତିରେ ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବ କଂଗ୍ରେସର ଶତାଧିକ କର୍ମୀ ସମ୍ବିତଙ୍କ କୁଶପୁତଳିକା ଦାହ କରିବା ସହ ନାରାବାଜି କରିଥିଲେ । ଦଳ ଏହା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଛି ।

ଏହା ପରେ ବିଜେପି ଓ ସମ୍ବିତ ବ୍ୟାକଫୁଟରେ ନଜର ଆସିଛି । ଏପର୍ଯ୍ୟନ୍ତ ସମ୍ବିତଙ୍କ ସପକ୍ଷରେ ଦଳ ବିଜେପି ସାମ୍ନାକୁ ଆସିନଥିବା ବେଳେ ସମ୍ବିତ କିନ୍ତୁ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି । ଏକ୍ସରେ ପୋଷ୍ଟ କରି ସମ୍ବିତ ପାତ୍ର କହିଛନ୍ତି ଭୁଲ ବଶତଃ ଉଚ୍ଚାରଣ ହୋଇଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ ବୋଲି କହିବା ବଦଳରେ ମୋଦୀଙ୍କ ଭକ୍ତ ବୋଲି ଉଚ୍ଚାରଣ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ହେବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏହାର ପ୍ରାୟଶ୍ଚିତ ସ୍ବରୂପ ଉପବାସ ରଖିବେ ବୋଲି ସମ୍ବିତ କହିଛନ୍ତି ।