LatestNews

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ବନ୍ଦେ ଉତ୍କଳ ଜନନୀ ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସଭିଏଁ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିଥିଲେ। ଦେଶ ବିଦେଶର ଶତାଧିକ ଲେଖକ, ସାହିତ୍ୟିକଙ୍କ ସମାଗମ ହୋଇଛି। ଅନ୍ତର୍ଜାତୀୟ ସ୍ତରର ବହୁ ବିଶିଷ୍ଟ ଭାଷାବିତ୍‌‌ ଏଥିରେ ଉପସ୍ଥିତ ରହିଛନ୍ତି।

ଏହ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଥିଲେ ଯେ, ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା । ଓଡ଼ିଆ ଭାଷାରେ ନୂଆ ନୂଆ ଶବ୍ଦ ଯୋଡ଼ି ହେଉଛି । ଓଡ଼ିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ। ଆମେ ଭବିଷ୍ୟତ ପାଇଁ ନିଜେ ନିଜର ରାସ୍ତା ତିଆରି କରିବା ଓଡ଼ିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ବୋଲି ନବୀନ କହିଥିଲେ।

ଏହି ସମ୍ମିଳନୀରେ ଓଡ଼ିଆ ଭାଷା ଏବଂ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ଜୀବନବ୍ୟାପୀ ସାଧନା ପାଇଁ ଦୁଇ ଓଡ଼ିଆ ପଦ୍ମଭୂଷଣ ସୀତାକାନ୍ତ ମହାପାତ୍ର ଓ ବିଶିଷ୍ଟ ଲେଖିବା ପଦ୍ମଭୂଷଣ ପ୍ରତିଭା ରାୟଙ୍କୁ ସମ୍ମାନିତ କରିଛନ୍ତି । ଏହି ସମ୍ମିଳନୀରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଛନ୍ତି ।

ଆସନ୍ତା ତିନି ଦିନ ଧରି ଏହା ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ଭାଷା ସମ୍ପର୍କିତ ବିଭିନ୍ନ କଳାକୃତି ପ୍ରଦର୍ଶିତ ହେବ । ଆଜିର କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର କାର୍ତ୍ତିକେୟନ ପ୍ରମୁଖ ଉପସ୍ଥିତିରେ ଥିଲେ।