FeaturedLatestNewsPolitics

ଧର୍ମେନ୍ଦ୍ରଙ୍କୁ ପ୍ରଚାରରେ ସହଯୋଗ କରୁଛନ୍ତି ଆଇଏଫଏସ ଅଧିକାରୀ, ଅଭିଯୋଗ କଲା ବିଜେଡି

ଭୁବନେଶ୍ୱର (ସଂକେତ ଟିଭି) : ଆମେରିକାରେ ଭାରତର କନସଲ ଜେନରାଲ ଭାବେ ଅବସ୍ଥାପିତ ଆଇଏଫଏସ ଅଫିସର ବିନୟ ଧର୍ମେନ୍ଦ୍ରଙ୍କ ପ୍ରଚାରର ପରିଚାଳନା କରୁଛନ୍ତି । ମାସେ ଛୁଟିରେ ଆସି ସେ ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଚାର ପ୍ରସାର ଦାୟିତ୍ଵ ତୁଲାଉଛନ୍ତି । ବିଜେଡି ଏନେଇ ମେଲ ଯୋଗେ ଜାତୀୟ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିବା ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ।

ରାଜ୍ୟସଭା ସାଂସଦ ତଥା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେପିର ସମ୍ବଲପୁର ସଂସଦୀୟ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଚାରରେ ସହଯୋଗ କରୁଛନ୍ତି ବରିଷ୍ଠ ଆଇଏଫଏସ ଅଧିକାରୀ ବିନୟ ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ ବିନୟ ପ୍ରଧାନ ତାଙ୍କର ଓଏସଡି ଥିଲେ । ଧର୍ମେନ୍ଦ୍ରଙ୍କ ସହ ବିନୟଙ୍କର ନିବିଡ ସମ୍ପର୍କ ରହିଛି । ବିନୟ ପ୍ରଧାନ ବର୍ତ୍ତମାନ ଆମେରିକାରେ ଭାରତର କନସଲ ଜେନରାଲ ଭାବେ କାର୍ଯ୍ୟରତ ରହିଛନ୍ତି । ସେ ମାସେ ଛୁଟି ନେଇ ଆସିଛନ୍ତି । ଏହି ସମୟରେ ସେ ସମ୍ବଲପୁରରେ ଚାଲିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାରକୁ ପରିଚାଳନା କରୁଛନ୍ତି ।

ସସ୍ମିତ କହିଛନ୍ତି ଯେ, ଏ ବିଷୟରେ ଜାତୀୟ ନିର୍ବାଚନ ଆୟୋଗଙ୍କୁ ଇମେଲରେ ଅଭିଯୋଗ କରିଛୁ । ଆମର ପ୍ରଥମ ଦାବି ହେଉଛି ଆଇଏଫଏସ ବିନୟ ପ୍ରଧାନଙ୍କ ବିରୋଧରେ ତଦନ୍ତ କରାଯାଉ । କେଉଁ କାରଣରୁ ସେ ଛୁଟି ନେଇ ସେ ସମ୍ବଲପୁର ଅଞ୍ଚଳରେ ବୁଲୁଛନ୍ତି । ଦ୍ଵିତୀୟ ଦାବି ହେଉଛି ତାଙ୍କର କଲ ରେକର୍ଡର ଯାଞ୍ଚ କରାଯାଉ । ବିନୟ ପ୍ରଧାନଙ୍କ ଜିପିଏସ ଟ୍ରାକିଂ ଦ୍ୱାରା ଜଣାପଡିଯିବ ସେ କେଉଁ କେଉଁ ଅଞ୍ଚଳରେ ବୁଲୁଛନ୍ତି । ସିଡିଆର ରେକର୍ଡରୁ ଜଣାପଡିଯିବ ସେ କାହାକାହା ସହ ଚର୍ଚ୍ଚା ଆଲୋଚନା କରୁଛନ୍ତି ।

ସସ୍ମିତ କହିଛନ୍ତି, ଯଦି ପ୍ରମାଣ ସ୍ପଷ୍ଟ ହୁଏ, ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ । ଅଭିଯୋଗର ତଦନ୍ତ ପ୍ରକ୍ରିୟା ଚାଲିବ । କିନ୍ତୁ ଯେ ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ଚାଲିବ, ନିର୍ବାଚନ ଆୟୋଗ ବିନୟଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ସେ ତାଙ୍କର କାର୍ଯ୍ୟ ସ୍ଥାନ ଆମେରିକା ଫେରିଯାଆନ୍ତୁ । ତୁରନ୍ତ ଡ୍ୟୁଟି ପାଇଁ ରିପୋର୍ଟ କରନ୍ତୁ । ଯଦି ସେ ଏମିତି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ନିର୍ବାଚନ ପରିଚାଳନା କରନ୍ତି, ତେବେ ଏକ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ସମ୍ବଲପୁରରେ ହୋଇପାରିବ ନାହିଁ ।