FeaturedGeneralLatest

ଏଣିକି ଟ୍ରେନରେ ମିଳିବ ନାହିଁ ୧ ଲିଟର ପାଣି ବୋତଲ 

ନୂଆଦିଲ୍ଲୀ (ସଂକେତ ଟିଭି) : ବର୍ତ୍ତମାନ ରେଳବାଇ ପାଣି ବୋତଲ ଯୋଗାଇବା ନିୟମରେ ସାମାନ୍ୟ ପରିବର୍ତ୍ତନ କରିଛି। ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ୍ ଯୋଗେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କୁ ୧ ଲିଟର ପାଣି ବୋତଲ ବଦଳରେ କେବଳ ୫୦୦ ମିଲିଲିଟର ବିଶିଷ୍ଟ ପାଣି ବୋତଲ ଯୋଗାଇ ଦିଆଯିବ। ସେଣ୍ଟ୍ରାଲ ରେଲଓ୍ବେର ଜଳ ସଂରକ୍ଷଣ, ବୃକ୍ଷରୋପଣ ଏବଂ ଜଳ ପୁନଃ ବ୍ୟବହାର ଯୋଗ୍ୟ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ବନ୍ଦେ ଭାରତ ଏକ୍ସପ୍ରେସ, ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରୀଙ୍କୁ ଏଣିକି ଏକ ଲିଟର ରେଲଓ୍ବେ ନିର୍ ପାଣି ବୋତଲ ବଦଳରେ ୫୦୦ ମିଲିଲିଟର ପାଣି ମିଳିବ । ଏହି ସମସ୍ତ ଟ୍ରେନରେ ଟିକେଟ୍ କାଟିବା ସମୟରେ ଖାଦ୍ୟ ସହିତ ପାଣି ବୋତଲ ଦେବାର ବ୍ୟବସ୍ଥା ରହିଥିଲା । ଏହାର ଦେୟ ମଧ୍ୟ ରେଳବିଭାଗ ନେଉଥିଲା । ହେଲେ ଏବେ ଟ୍ରେନରେ ଏକ ଲିଟର ପିଇବା ପାଣି ବୋତଲ ଏବେ ମିଳିବ ନାହିଁ ।

ରେଳବାଇ କହିଛି ଯେ ଚାହିଦା ଅନୁଯାୟୀ ଯାତ୍ରୀଙ୍କ ପାଇଁ ୫୦୦ ମିଲିଲିଟର ବିଶିଷ୍ଟ ପାଣି ବୋତଲ ଉପଲବ୍ଧ ହେବ। ଏନେଇ ଯାତ୍ରୀଙ୍କ ଠାରୁ କୌଣସି ଅତିରିକ୍ତ ଦେୟ ଆଦାୟ କରାଯିବ ନାହିଁ। ଯାହାର ଅର୍ଥ ହେଉଛି କୌଣସି ଦେୟ ବିନା ମାଗଣାରେ ଯାତ୍ରୀଙ୍କୁ ସେମନଙ୍କ ଆବଶ୍ୟକତା ଅନୁଯାୟୀ ୫୦୦ ମିଲିଲିଟର ବିଶିଷ୍ଟ ପାଣି ବୋତଲ ମିଳିବ। ଏହାପୂର୍ବରୁ ଯାତ୍ରା ସମୟରେ ଯାତ୍ରୀଙ୍କୁ ଗୋଟିଏ ଲିଟର ବିଶିଷ୍ଟ ପାଣି ବୋତଲ ଯୋଗାଇ ଦିଆଯାଉଥିଲା। ହେଲେ ଦେଖିବାକୁ ମିଳିଥିଲା ଯେ ଅଧିକାଂଶ ଯାତ୍ରୀ ଗୋଟିଏ ଲିଟର ପାଣି ମଧ୍ୟ ବ୍ୟବହାର କରୁନାହାଁନ୍ତି। ଜଳର ଅପଚୟକୁ ରୋକିବା ପାଇଁ ରେଳବାଇ ୧ ଲିଟର ପରିବର୍ତ୍ତେ ଏହାକୁ ଦୁଇ ଭାଗରେ ବିଭକ୍ତ କରି ୫୦୦ ମିଲି ବିଶିଷ୍ଟ ପାଣି ବୋତଲ ଦେବାକୁ ସ୍ଥିର କରିଛି। ଯାହାଦ୍ୱାରା ଆବଶ୍ୟକ ହେଲେ ଯାତ୍ରୀ ବିନା କୌଣସି ଦେୟରେ ଆଉ ଏକ ପାଣି ବୋତଲ ନେଇପାରିବେ।