LatestNewsPolitics

ବିଜେଡିରେ ଯୋଗଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଭୁବନେଶ୍ବର (ସଂକେତ ଟିଭି): ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ଶତାଧିକ କର୍ମୀଙ୍କ ସହ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ।

ବିଜେଡିରେ ସାମିଲ ହେବା ପୂର୍ବରୁ ବାପା ବିଜୟ ମହାପାତ୍ରଙ୍କ ଆଶୀର୍ବାଦ ନେଇଥିଲେ ଅରବିନ୍ଦ । ନିଜର ଶହ ଶହ ସମର୍ଥକଙ୍କ ସହ ସେ ସାଢ଼େ ୧୧ ସମୟରେ ନବୀନ ନିବାସରେ ପହଞ୍ଚିଥିଲେ । ଅରବିନ୍ଦଙ୍କୁ ନିକଟରେ ବିଜେଡିରେ ସାମିଲ ହୋଇଥିବା ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ନବୀନ ନିବାସ ଭିତରକୁ ପାଛୋଟି ନେଇଥିଲେ । ଏହା ପରେ ଅରବିନ୍ଦଙ୍କୁ ଉତ୍ତରୀୟ ପକାଇ ଦଳକୁ ସ୍ୱାଗତ କରାଯାଇଥିଲା । ଏହି ସମୟରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଆଳି ବିଧାୟକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେଡିରେ ସାମିଲ ହେବା ପରେ ଅରବିନ୍ଦ ମହାପାତ୍ର କହିଛନ୍ତି, ମୋ ପାଇଁ ଆଜି ଶୁଭ ଦିନ । ଆଜି ମୁଁ ବିଜେଡିରେ ଯୋଗଦେଲି । ବିଜେଡିରେ ସାମିଲ ହେବା ମୋର ନିଷ୍ପତ୍ତିର କାରଣ ହେଉଛି, ଦୀର୍ଘ ବର୍ଷ ଧରି ମୁଁ ପାଟକୁରାରେ ବୁଲୁଛି । ଲୋକଙ୍କ ବିକାଶ ଲାଗି ମୋତେ ଗୋଟେ ମଞ୍ଚ ଦରକାର ବୋଲି ଅନୁଭବ କଲି । ନିଷ୍ପତ୍ତି ନେବା ଆଗରୁ ପାଟକୁରାବାସୀଙ୍କ ପରାମର୍ଶ ନେଇଛି । ବାପାଙ୍କ ଆଶୀର୍ବାଦ ମଧ୍ୟ ନେଇଛି । ତାପରେ ବିଜେଡିରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଲି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପାଟକୁରା ଓ କେନ୍ଦ୍ରାପଡ଼ାକୁ ଆଗକୁ ନେବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧକ୍ଷଙ୍କୁ ଧନ୍ୟବାଦ । ସେମାନେ ମତେ ସୁଯୋଗ ଦେଇଛନ୍ତି । ଜଗନ୍ନାଥଙ୍କ ଆଶୀର୍ବାଦ ମୋ ଉପରେ ଅଛି । ପାଟକୁରାକୁ ଆଗକୁ ନେବି । ଦଳ ଯାହା ଦାୟିତ୍ୱ ଦେବେ ସଠିକ ଭାବେ ତୁଲାଇବି ।