FeaturedGeneralLatestSports

ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାକର୍ମୀ

ମୁମ୍ବାଇ (ସଂକେତ ଟିଭି): କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ନିଜକୁ ଗୁଳିକରିଛନ୍ତି। ତାଙ୍କ ସୁରକ୍ଷା ପାଇଁ ପୋଷ୍ଟ କରାଯାଇଥିବା ଜଣେ ଏସଆରପିଏଫ ଯବାନ ମହାରାଷ୍ଟ୍ରର ଜଲଗାଓଁରେ ଥିବା ତାଙ୍କ ପୈତୃକ ଘରେ ଆତ୍ମହତ୍ୟା କରିଛନ୍ତି। ତେବେ ସେ ଛୁଟିରେ ନିଜ ଘରକୁ ଯାଇଥିଲେ। ଅଧିକାରୀ କହିଛନ୍ତି ଯେ ଏହି ଘଟଣା ମେ‘ ୧୪ ରେ ବିଳମ୍ବିତ ରାତିରେ ଘଟିଛି।

ମୃତ ଯବାନଙ୍କ ନାମ ପ୍ରକାଶ କ‌ାପଡେ ବୋଲି ଜଣାପଡ଼ିଛି। ସେ ୮ଦିନ ପୂର୍ବରୁ ଛୁଟିରେ ନିଜ ଗାଁ ଯାଇଥିଲେ। ସୂଚନାନୁସାରେ, କାପଡେ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ନିଜ ବେକକୁ ଗୁଳି ଚଳାଇଥିଲେ।

ମୃତ ଯବାନଙ୍କ ପରିବାରରେ ତାଙ୍କର ବୃଦ୍ଧ ପିତାମାତା, ପତ୍ନୀ, ଦୁଇ ସନ୍ତାନ ଏବଂ ଭାଇ ଅଛନ୍ତି। ବର୍ତ୍ତମାନ ପୋଲିସ ତାଙ୍କ ଆତ୍ମହତ୍ୟା କରିବାର କାରଣ ଜାଣିବାକୁ ଚେଷ୍ଟା କରୁଛି। ମୃ୍ତ ଯବରନ ମନ୍ତ୍ରୀ ଛଗନ ଭୁଜବଲ ଏବଂ ନାରାୟଣ ରାଣେଙ୍କ ଅଙ୍ଗରକ୍ଷୀ ଭାବରେ କାର୍ଯ୍ୟ କରିଥିଲେ।

ତାଙ୍କୁ ସରକାରୀ ପୋଲିସ ରିଜର୍ଭ ଫୋର୍ସରେ ପୋଷ୍ଟ କରାଯାଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ସେ ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରିଥାଇ ପାରନ୍ତି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ବର୍ତ୍ତମାନ ତାଙ୍କ ପରିବାର ଏବଂ ଘନିଷ୍ଠ ଲୋକଙ୍କୁ ପଚରାଉଚରା କରି ପୋଲିସ ତଦନ୍ତ ଜାରି ରଖିଛି।

ଜାମନେର ଥାନାର ବରିଷ୍ଠ ପୋଲିସ ଇନ୍ସପେକ୍ଟର କିରଣ ଶିନ୍ଦେ କହିଛନ୍ତି ଯେ, ଘଟଣା ବିଳମ୍ବିତ ରାତି ୧.୩୦ରେ ଘଟିଛି। ଯବାନଜଣଙ୍କ କାହିଁକି ଆତ୍ମହତ୍ୟା କଲେ ଜଣାପଡ଼ିନାହିଁ। ହେଲେ ପ୍ରାଥମିକ ତଦନ୍ତରୁ ବ୍ୟକ୍ତିଗତ କାରଣରୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ହେଲେ ତଦନ୍ତ ପରେ ପ୍ରକୃତ କାରଣ ଉପରୁ ପରଦା ହଟିବ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଜାମନେର ପୋଲିସ ମାମଲା ରୁଜୁ କରି ପରିବାର ସଦସ୍ୟ, ସହକର୍ମୀଙ୍କୁ ପଚରାଉଚରା କରୁଛି।