FeaturedLatestNews

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର (ସଂକେତ ଟିଭି) : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ୨୪ରେ ଅବପାତର ରୂପ ନେବ । ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳ ୫ଟାରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ଅବପାତ ଅଞ୍ଚଳରେ ୩୦ରୁ ୪୦ କି.ମି. ପ୍ରତି ଘଣ୍ଟା ବେଗରେ ପବନ ପ୍ରବାହିତ ହେଉଛି । ପରେ ଉତ୍ତର ପୂର୍ବ ଦିଗରେ ଗତିକରି ୨୪ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଅବପାତର ପ୍ରଭାବ ମୁଖ୍ୟତ ଉତ୍ତର ଓଡ଼ିଶାରେ ଦେଖିବାକୁ ମିଳିବ । ୨୫ ତାରିଖ ସଂଧ୍ୟା ସୁଦ୍ଧା ଉତ୍ତର ପଶ୍ଚିମ ଉତ୍ତର ପୂର୍ବ ସଂଲଗ୍ନ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହିତ ଆହୁରି ତୀବ୍ର ହେବା ସମ୍ଭାବନା ରହିଛି ।

ତେବେ ବାତ୍ୟା ନେଇ ସ୍ପଷ୍ଟ ହୋଇନଥିବା ବେଳେ ସ୍ୱତନ୍ତ୍ର ରିଲିଫ କମିସନର ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହା ପୂର୍ବରୁ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଲଘୁଚାପ ନେଇ ସତର୍କ ରହିବା ସହ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁସ୍ୱତନ୍ତ୍ର ରିଲିଫ କମିସନର ସତର୍କ କରାଇଛନ୍ତି ।

ସେପଟେ ୨୩ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ମନା କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିବାକୁ ମଧ୍ୟ କୁହାଯାଇଛି । ୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବାଲେଶ୍ଵର ଓ ଭଦ୍ରକରେ ପ୍ରବଳ ବର୍ଷା ହେବା ସମ୍ଭାବନା । ଏହି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଅବପାତ କେଉଁ ଉପକୂଳ ଦେଇ ଅତିକ୍ରମ କରିବ ଏବଂ ଅତିକ୍ରମ କରିବା ସମୟରେ ଏହାର ସର୍ବାଧିକ ପ୍ରଭାବ କଣ ରହିବ ତାର ପୂର୍ବାନୁମାନ ଏଯାଏ କରାଯାଇନାହିଁ ବୋଲି କହିଛନ୍ତି ଆଇଏମଡ଼ି ଡ଼ିଜି ।