ବାଲେଶ୍ୱରରେ ବିଜେପି ମନ୍ତ୍ରୀ ଓ ବିଧାୟକ ପାୱାର ଲେସ୍

ବାଲେଶ୍ୱର, ୦୬ା୧୦: ବାଲେଶ୍ୱରରେ ବିଜେପିର ମନ୍ତ୍ରୀ ଓ ବିଧାୟକଙ୍କୁ ଜିଲ୍ଲା ପ୍ରଶାସନ ତଥା ଅଧିକାରୀମାନେ ଆଦୌ ପଚାରୁନଥିବା ଦେଖିବାକୁ ମିଳୁଛି । ଗତ ନିର୍ବାଚନରେ ବିଜେପିର ପ୍ରାର୍ଥୀ ବିଜେଡିର ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି । ହେଲେ ବିଜୟର ସ୍ୱାଦ ତାଙ୍କୁ ଚାଖିବାକୁ ମିଳୁନାହିଁ । ପରାଜିତ ହୋଇ ମଧ୍ୟ ବିଜେଡି ନେତା ଓ କର୍ମୀଙ୍କ ପାୱାର ବିଜେପିର ବିଧାୟକ ଓ ମନ୍ତ୍ରୀଙ୍କଠାରୁ ବେଶି ରହିିଥିବା ଦେଖିବାକୁ ମିଳୁଛି ।

ବାଲେଶ୍ୱର ଜିଲ୍ଲାରେ ବିଜେପି ଲୋକସଭା ଆସନ ସମେତ ଦୁଇଟି ବିଧାନସଭା ଆସନରେ ବିଜୟ ଲାଭ କରିଛି । ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜୟ ଲାଭ କରି କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟୀତ୍ୱ ନେଇଛନ୍ତି । ବାଲେଶ୍ୱର ବିଧାନସଭା ଆସନରେ ବିଜେପି ଜିଲ୍ଲାସଭାପତି ମଦନ ମୋହନ ଦତ୍ତ ନିର୍ବାଚିତ ହୋଇଥିବାବେଳେ ନୀଳଗିରି ଆସନରେ ସୁକାନ୍ତ କୁମାର ନାୟକ ବିଜୟୀ ହୋଇଛନ୍ତି ।

ପ୍ରତାପ, ସୁକାନ୍ତ ଓ ମଦନ ମୋହନ ବିଜୟୀ ସିନା ହୋଇଛନ୍ତି, ହେଲେ ତାହା ନ ଜିତିବା ସହିତ ସମାନ । ବାଲେଶ୍ୱର ଜିଲ୍ଲା ପ୍ରଶାସନ ତାଙ୍କ କଥାକୁ ଆଦୌ ଖାତିର କରୁନାହିଁ । ଏପରିକି ତାଙ୍କର ମତାମତ ମଧ୍ୟ କୌଣସି ସ୍ଥାନରେ ଗ୍ରହଣ କରା ଯାଉନାହିଁ । ଏମିତି ପରିସ୍ଥିତି ଉପୁଜିଛି ଯେ ବିଡିଓ କିମ୍ବା ତହସିଲଦାରମାନେ ବିଧାୟକଙ୍କ ଫୋନ ମଧ୍ୟ ଉଠାଉନାହାଁନ୍ତି । ସତେ ଯେମିତି ବିଧାୟକ ଓ ମନ୍ତ୍ରୀଙ୍କୁ ତ୍ରିଶଙ୍କୁ କରିଦିଆ ଯାଇଛି । ଏମିତି ବହୁ ଘଟଣା ଘଟିଛି , ଯାହାକି ସାଧାରଣ ଲୋକ ମଧ୍ୟ ଏବେ ଅନୁଭବ କରିସାରିଲେଣି । ନୀଳଗିରି ଘଟଣାକୁ ଯଦି ନିଆଯିବ ତେବେ ଉଭୟେ କେନ୍ଦ୍ର ମନ୍ତ୍ରୀ ଓ ବିଧାୟକ ମୋହରିର ମାନଙ୍କ ବସିବା ସ୍ଥାନକୁ ଉଚ୍ଚେଦ ନକରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ । ହେଲେ ତାଙ୍କ କଥାକୁ ଖାତିର ନକରି, ପୂର୍ବରୁ ତାଙ୍କୁ ଅବଗତ ନକରି ତହସିଲଦାର ତାକୁ ଉଚ୍ଛେଦ କରିଦେଲେ । ଯେଉଁଠି ବିଧାୟକ ଓ ମନ୍ତ୍ରୀ ମୁଣ୍ଡ ଖେଳାଉଛନ୍ତି, ସେଠାରେ କେବଳ ଜଣେ ମହିଳା ତହସିଲଦାର ନିଜେ ଛିଡା ହୋଇ ଜବରଦଖଲ ଉଚ୍ଛେଦ କରିଦେଲେ । ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ବିଧାୟକ ଆସି ପାଟିତୁଣ୍ଡ କଲେ । ଏଥିରେ କଣ କେବଳ ତହସିଲଦାର ସଂପୃକ୍ତ , ଆମ ଅନୁସନ୍ଧାନରେ ପୁରା ଜିଲ୍ଲା ପ୍ରଶାସନ ଏଥିରେ ସଂପୃକ୍ତ ଅଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସାମନାରେ ତାଙ୍କର ପିଏ ଓ ସମର୍ଥକଙ୍କୁ ନୀଳଗିରି ଏସଡିପିଓ ରଥ ଯାତ୍ରା ସମୟରେ ଯେଉଁଭଳି ବ୍ୟବହାର କଲେ ଏହା କାହାକୁ ଅଛପା ନାହିଁ । କେବଳ ଏହି ଦୁଇଟି ଘଟଣା ନୁହଁ , ବାଲେଶ୍ୱରଠାରେ ମଧ୍ୟ ବହୁ ଘଟଣା ଘଟିଛି ଯେଉଁଥିରେ ବିଧାୟକ ଓ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶାସନ ଆଦୌ ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳୁଛି । କେନ୍ଦ୍ରମନ୍ତ୍ରୀ ଓ ବିଧାୟକଙ୍କ ସାମନାରେ ଗୋଟିଏ କଥା ନିଷ୍ପତ୍ତି ହେଉଛି , ହେଲେ ପ୍ରଶାସନ ତାର ଓଲଟା ନିର୍ଦେଶ ବିଡିଓ ଓ ତହସିଲଦାରମାନଙ୍କୁ ଦେଉଥିବା ଜଣାପଡିଛି । ପ୍ରକୃତ କଥା ହେଲା ବିଜେଡି ନେତା ପରାଜିତ ହୋଇଥିଲେ ମଧ୍ୟ ତାଙ୍କ ନିର୍ଦେଶରେ ପ୍ରଶାସନିକ କଳ ଚାଲିଛି । ଏଭଳି ନିର୍ଦେଶ ଜିଲ୍ଲା ପ୍ରଶାସନକୁ ଭୂବନେଶ୍ୱର ତୃତୀୟ ମହଲାର ଦିଆଯାଇଥିବା ଜଣାପଡିଛି । ତେବେ ଏହାକୁ ନେଇ ଏବେ ବିଜେପି ବିଧାୟକ ଓ ମନ୍ତ୍ରୀ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଆଗାମୀ ଦିନରେ ଏହା ଏକ ବିଷ୍ପୋରକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଜଳଜଳ ହୋଇ ଦେଖା ଯାଉଛି । ସେପଟେ ବିଜେଡି ନେତା ଓ କର୍ମୀ ଏହି ପରିସ୍ଥିତିର ମଜା ଉଠାଉଥିବା ଦେଖିବାକୁ ମିଳୁଛି ।