ବିବାଦୀୟ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଆଗତ

ନୂଆଦିଲ୍ଲୀ,୯।୧୨: ବିବାଦୀୟ ନାଗରିକତା ସଂଶୋଧନ ବିଧେୟକ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରିଛନ୍ତି। ଗୃହରେ ଉପସ୍ଥିତ ଥିବା ୩୭୫ ସଦସ୍ୟଙ୍କ ମଧ୍ୟରୁ ଆଗତ ସପକ୍ଷରେ ୨୯୩ ଭୋଟ ପଡ଼ିଥିବାବେଳେ ବିରୋଧରେ ୮୨ ଭୋଟ ପଡ଼ିଥିଲା। ବିଲ୍‌ ଉପରେ ମଙ୍ଗଳବାର ଆଲୋଚନା ହେବ। ତେବେ ସୋମବାର ଲୋକସଭାରେ ନାଗରିକ ସଂଶୋଧନ ବିଲ୍‌ ଆଗତ ହେବା ପରେ ବିରୋଧୀ ଦଳ ଜୋରଦାର ହଙ୍ଗାମା କରିଥିଲେ । ବିଧେୟକକୁ ବିଜେପି, ଜନତା ଦଳ ୟୁନାଇଟେଡ଼, ଅକାଳି ଦଳ ଏବଂ ଲୋକ ଜନଶକ୍ତି ଦଳ ସମର୍ଥନ କରୁଥିବା ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ସମାଜବାଦୀ ପାର୍ଟି ବିରୋଧ କରୁଛନ୍ତି।

ବିରୋଧୀ କଂଗ୍ରେସ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ ବିଧେୟକଙ୍କୁ ବିରୋଧ କରି କହିଛନ୍ତି, ଦେଶର ସଂଖ୍ୟାଲଘୁଙ୍କୁ ଲକ୍ଷ୍ୟ କରି ଏହି ସଂଶୋଧନ ବିଧେୟକ ଆଗତ କରାଯାଇଛି। ସେ କହିଛନ୍ତି ଅନୁଛେଦ ୧୩ ଏବଂ ୧୪କୁ ଦୁର୍ବଳ କରିବାକୁ ବିଜେପି ଚେଷ୍ଟା କରୁଛି। ଯାହାର ଜବାବ ଦେଇ ଶାହ କହିଛନ୍ତି, ବିଲ୍‌ରେ ଭାରତୀୟ ସୀମାବର୍ତ୍ତୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଙ୍ଗଲାଦେଶ ଶରଣାର୍ଥୀଙ୍କ ସମ୍ବନ୍ଧରେ ଉଲ୍ଲେଖ ଅଛି । ତିନୋଟି ଦେଶରେ ଥିବା ସଂଖ୍ୟାଲଘୁଙ୍କ ସହ ସାମ୍ପ୍ରଦାୟିକ ଭେଦଭାବ କରାଯାଉଛି । ନାଗରିକ ସଂଶୋଧନ ବିଲ୍‌ ଦ୍ୱାରା ପାକିସ୍ତାନ, ଆଫଗାନୀସ୍ତାନ, ବାଂଲାଦେଶ ଆଦି ଦେଶରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ୍‌ ପ୍ରଭୃତି ଶରଣାର୍ଥୀଙ୍କ ପାଇଁ ଭାରତୀୟ ନାଗରିକତା ହାସଲ କରିବା ସହଜ ହୋଇପାରିବ ବୋଲି ସେ କହିଛନ୍ତି । ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କ ବିରୋଧରେ ଯାଉନାହିଁ। କଂଗ୍ରେସକୁ ଲକ୍ଷ୍ୟ କରି ଶାହା କହିଛନ୍ତି ଯେ ସେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ କଂଗ୍ରେସ ସଦସ୍ୟମାନେ ୱାକ ଆଉଟ ନ କରିବା ଉଚିତ।