Latest

ସତ୍ଯମ ଡେଭଲପରର ମାଲିକଙ୍କୁ ହତ୍ଯା ପାଇଁ ୫୦ଲକ୍ଷ ଟଙ୍କାର ଡିଲ୍, ୭ ଗିରଫ

ବାଲେଶ୍ବର ୦୩|୦୯: (ବୁଦ୍ଧେଶ୍ଵର ମଲ୍ଲିକ) ସତ୍ଯମ ଡେଭଲପରର ମାଲିକ ରମେଶ ବେହେରାଙ୍କୁ ଅତି ନିର୍ମମ ଭାବରେ ହତ୍ଯା ଘଟଣା ଉପରୁ ପର୍ଦା ଉଠାଇଛି ଶିଳ୍ପାଞ୍ଚଳ ଥାନା ପୋଲିସ । ଏହି ଘଟଣାରେ ପୋଲିସ ହତ୍ଯାକାଣ୍ତର ମୁଖ୍ଯ ଷଡଯନ୍ତ୍ରକାରୀ ଓ ତିନି ଜଣ ସୁପାରିକିଲରଙ୍କ ସମେତ ସାତ ଜଣଙ୍କୁ ଗିରଫ କରିଛି ।

ତାଙ୍କ ଠାରୁ ଗୋଟିଏ ତେଲେଙ୍ଗା କଟୁରୀ ଏବଂ ଗୋଟିଏ ଗୁପ୍ତି ଜବତ କରାଯାଇଛି । ଏହାସହିତ ଗୋଟିଏ କ୍ରେଟା କାର୍ , ଗୋଟିଏ ବୋଲେରୋ, ଗୋଟିଏ ଅଟୋ ରିକ୍ସା, ଦୁଇଟି ମୋଟର ସାଇକେଲ ଓ ରକ୍ତ ଭିଜା 42 ହଜାର ଟଙ୍କା ମଧ୍ଯ ଜବତ କରାଯାଇଛି ।

ଗିରଫ ହୋଇଥିବା ସାତ ଜଣ ହେଲେ ରେମୁଣା ଅଚ୍ଯୁତପୁର ଗାଁର ରଞ୍ଜନ ସାହୁ (28), ଶ୍ରୀକୃଷ୍ଣପୁରର ସମ୍ଭୁନାଥ ବିଶୋଇ (25), ଗଣେଶ୍ବରପୁରର ଚିତ୍ତରଞ୍ଜନ ପାଣିଗ୍ରାହୀ (47) , ଶ୍ରୀକୃଷ୍ଣପୁରର କମଳ ବେହେରା (21), ଓସ୍ତପୁରର ଗୋପୀନାଥ ପାକଳ (27), ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ଚେଙ୍ଗୁଆ ଗାଁର ମାନସ କୁମାର ପ୍ରଧାନ (22), ବାଲେଶ୍ବର ବରହମପୁର ଥାନା ଅନ୍ତର୍ଗତ ଭୋଗଡିହା ଗାଁର ଭଞ୍ଜୟ କୁମାର ବେହେରା ।

ସୂଚନା ଅନୁସାରେ, ଜମି ବେପାର କରୁଥିବା ଟୁନା ଓରଫ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସହିତ ମୃତକ ରମେଶ ବେହେରାଙ୍କୁ ଗୋଟିଏ ଜମି କିଣିବିକାକୁ ନେଇ ବିବାଦ ଲାଗି ରହିଥିଲା । 2.27 ଏକର ଜମି କିଣିବାକୁ ନେଇ ଉଭୟଙ୍କ ମଧ୍ଯରେ ବିବାଦ ଦେଖାଦେଇଥିଲା । ଏହି ଜମି ଡିସିମିଲ୍ ପିଛି ଏକ ଲକ୍ଷରେ କିଣିପାଇଁ ଜମି ମାଲିକ ମନୋରଞ୍ଜନ ସେନଙ୍କ ସମେତ ଅନ୍ଯ ମାଲିକଙ୍କ ସହିତ ଟୁନା ଫାଇନାଲ କରିଥିଲେ। ହେଲେ ଏହି ଜମିକୁ ରମେଶ ଡିସିମିଲ ପିଛା ଦେଢ ଲକ୍ଷ ଟଙ୍କାରେ କିଣିଥିଲେ । ସେହି ଦିନଠାରୁ ରମେଶକୁ ରାସ୍ତାରୁ ହଟାଇ ଦେବା ପାଇଁ ଚିତ୍ତରଞ୍ଜନ ସ୍ଥିର କରିଥିଲେ ।

ଚିତ୍ତରଂଜନ ଏହି ହତ୍ଯାକାଣ୍ଡ ପାଇଁ ସୁପାରିକିଲର୍ ଶମ୍ଭୁନାଥ ବିଶୋଇ ଏବଂ ରଞ୍ଜନ ସାହୁଙ୍କୁ ଯୋଗା ଯୋଗ କରିଥିଲେ । ଏହି ହତ୍ଯାକାଣ୍ଡର ଡିଲ୍ 50 ଲକ୍ଷ ଟଙ୍କାରେ ଫାଇନାଲ ହୋଇଥିଲା । ଏଥିପାଇଁ ଚିତ୍ତରଞ୍ଜନ ଏକଲକ୍ଷ 75 ହଜାର ଟଙ୍କା ଏଡଭାନ୍ସ ଦେଇଥିଲେ । ସେପଟେ ଶମ୍ଭୁନାଥ ଏବଂ ରଞ୍ଜନଙ୍କ ସହିତ ମୃତକ ରମେଶଙ୍କ ମଧ୍ଯ ପୂର୍ବ ଶତୃତା ଥିଲା । ଏହି ହତ୍ଯା ପାଇଁ 5 ମାସ ପୂର୍ବରୁ ଯୋଜନା ହୋଇଥିଲା ।

ତେବେ ଯୋଜନା ଅନୁସାରେ ଗତ 28 ତାରିଖ ସଂନ୍ଧ୍ଯାରେ ରେମେଶଙ୍କୁ ଫୋନ କରି ରେମୁଣା ଗୋଲେଇ ବାଇପାସ୍ ରାସ୍ତାର ଅଚ୍ୟୁତପୁରଠାରେ ଥିବା ସତ୍ଯମ ନଗରକୁ ଡାକିଥିଲେ । ସଂନ୍ଧ୍ଯା 6ଟାରେ ସେଠାରେ ପୂର୍ବରୁ ଛକି ରହିଥିବା ରଞ୍ଜନ, ଶମ୍ଭୁ ଏବଂ କମଲ ବେହେରା ରମେଶ ବେହେରାଙ୍କୁ ଗୁପ୍ତି ଓ କଟୁରୀରେ ହତ୍ଯା କରିଥିଲେ । ହତ୍ଯା କରି ସେମାନେ ଓସ୍ତପୁରର ଗୋପିନାଥ ପାକଳ, ମୟୁରଭଂଜ ଛେଙ୍ଗୁଆ ମଙ୍ଗଳପୁରର ମାନସ ପ୍ରଧାନ ଏବଂ ଭୋଗଡିହାର ବିଜୟ କୁମାର ବେହେରାଙ୍କ ଘରେ ଲୁଚି ରହିଥିଲେ । ତେବେ ହତ୍ୟା ବେଳେ ସୁପାରି ଦେଇଥିବା ଟୁନା ଅନୁପସ୍ଥିତ ଥିଲେ ।