LatestNewsPolitics

ନବୀନ ସରକାରକୁ ଉପାଡ଼ି ଓଡିଶାରେ ଆଣନ୍ତୁ ବିଜେପି ସରକାର : ଶାହା

ସୋନପୁର (ସଂକେତ ଟିଭି): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁର ଗସ୍ତରେ ଆସି ରାମେଶ୍ବର ଷ୍ଟାଡିୟମ୍‌ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଛନ୍ତି । ନବୀନ ସରକାରକୁ ଓପାଡ଼ି ଏଠାରେ ବିଜେପି ସରକାର ଗଢିବାକୁ ଶାହା ଆହ୍ବାନ କରିଛନ୍ତି। ଏପରିକି ରାଜ୍ୟରେ ଭାଜପା ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଆଉ ବାହାର ରାଜ୍ୟକୁ ପେଟ ପୋଷିବା ପାଇଁ ଯିବାକୁ ପଡିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ଓଡ଼ିଶାରେ ୨୦ ଲୋକ ସଭା ସିଟ୍‌ ଜିତିବା କି ନାହିଁ ସେ ଲୋକଙ୍କୁ ପଚାରିଛନ୍ତି। ଏଥିସହ ଓଡ଼ିଶାରେ ପ୍ରଥମ ଥର ଭାଜପା ସରକାର ବନେଇବା କି ନାହିଁ ବୋଲି କହିଛନ୍ତି। ଶାହା କହିଛନ୍ତି ଓଡ଼ିଶାକୁ ପ୍ରଥମ ଥର ମୁଁ ନିର୍ବାଚନ ପ୍ରଚାର ପାଇଁ ଆସିଛି।

ସାରା ଦେଶରେ ଯୁଆଡ଼େ ଯାଇଛି ସବୁଠି ମୋଦି ନାରା। ଆଜି ଓଡ଼ିଶାରେ ବି ପୂରା ମାହୋଲ ମୋଦି ମୟ ରହିଛି। ଓଡ଼ିଶା ଲୋକ ବି ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ। ଓଡ଼ିଶାର ଭାଷା, ସଂସ୍କୃତି ଗୌରବ ପାଇଁ ଭାଜପା ସରକାର ବନିବା ଦରକାର। ଏଠାକାର ସରକାର ଓଡ଼ିଶାକୁ ବିକାଶରୁ ଦୂରରେ ରଖିଛନ୍ତି। ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛନ୍ତି ଏଠାର ସରକାର। ସବୁଠାରୁ ଅଧିକ ପ୍ରାକୃତିକ ସଂପଦ ଓଡ଼ିଶାରେ ରହିଛି। ସବୁଥାଇ ବି ଓଡ଼ିଶା ସମୃଦ୍ଧିଠାରୁ ଦୂରରେ ରହିଛି ବୋଲି ସେ କହିଛନ୍ତି। ବିଜେପି ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ। ଲୋକଙ୍କୁ ଏଠାରେ ରୋଜଗାର ମିଳିବ ବୋଲି ସେ କହିଛନ୍ତି ।

ଶାହ କହିଛନ୍ତି, କେନ୍ଦ୍ର ସରକାର ଯେତିକି ଟଙ୍କା ଦେଉଛନ୍ତି, ରାଜ୍ୟ ସରକାର ତାହା ବିନିଯୋଗ କରିପାରୁ ନାହିଁ। ଭାରତୀୟ ଜନତା ପାର୍ଟିର ସରକାର ପ୍ରତ୍ୟେକ ଘରକୁ ପାଣି ଯୋଗାଇବ। ନବୀନ ସରକାରଙ୍କୁ ଡର ଯେ, ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁହେଲେ ରାଜ୍ୟ ସରକାରଙ୍କ ଲୋକପ୍ରିୟତା କମି ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ିଯିବ। ଓଡ଼ିଶାର ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ ବିଜେପି ସରକାର ଆସିବାର ଅଛି। ବିଜେପି ମାତ୍ର ୫ ବର୍ଷ ମଧ୍ୟରେ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିପାରିବ। ଆମେ ଲୁଗା କାରଖାନା କରି କପାଚାଷୀଙ୍କ ବିକାଶ କରିବୁ। କେନ୍ଦ୍ରର ଅନୁଦାନକୁ ରାଜ୍ୟ ସରକାର ନିଜର ଫଟୋ ଦେଇ ଲୋକପ୍ରିୟତା ହାସଲ କରିବାକୁ ଉଦ୍ୟମ କରୁଛନ୍ତି ‌ବୋଲି ସେ କହିଛନ୍ତି ।

ଶାହ ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓଙ୍କ ସମେତ ପଶ୍ଚିମ ଓଡ଼ିଶାରେ ବିଜେପିର ଅନ୍ୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି।