LatestNewsPolitics

ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ବ୍ରହ୍ମପୁର (ସଂକେତ ଟିଭି) : ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜିଠାରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସେ ହିଞ୍ଜିଳିରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ପ୍ରଚାର ଆରମ୍ଭ କରିଛନ୍ତି। ବୁଧବାର ସାଢେ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିର ସମରଝୋଳରେ ପହଞ୍ଚି ପ୍ରଚାର ଆରମ୍ଭ କରିଛନ୍ତି।

ହିଞ୍ଜିଳିକାଟୁ ବ୍ଲକ ସମରଝୋଳ ଛକ ଚକ୍ଷୁ ଚିକିତ୍ସାଳୟ ନିକଟସ୍ଥ ମେଘମାଳା ମୋଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୨୦୨୪ ନିର୍ବାଚନ ପ୍ରଚାର ଆରମ୍ଭ କରି ବହୁତ ଖୁସି ବୋଲି ନବୀନ କହିଛନ୍ତି। ସଭାକୁ ସମ୍ବୋଧିତ କରି ସୁପ୍ରିମୋ କହିଛନ୍ତି, ହିଞ୍ଜିଳିରୁ ହିଁ ଆରମ୍ଭ ହେଲା ବିଜୁ ଜନତାଦଳର ଜୟଯାତ୍ରା। ବିଜୟର ଶଙ୍ଖଧ୍ବନି। ଅନ୍ୟ ପକ୍ଷରେ ବିକାଶ ହେଉଛି ଆମର ପରିଚୟ ବୋଲି ନବୀନ ସଭାରେ କହିଛନ୍ତି। କିନ୍ତୁ ବିରୋଧୀ ଦଳଗୁଡ଼ିକ ସବୁବେଳେ ସବୁ କଥାରେ ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରିଆସୁଛନ୍ତି ଓ ଅପପ୍ରଚାର କରୁଛନ୍ତି ବୋଲି ନବୀନ କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର ପ୍ରକଳ୍ପ ଓ ସମଲେଇ ପ୍ରକଳ୍ପର ସବୁ କ୍ଷେତ୍ରରେ ସେମାନଙ୍କ ବିରୋଧୀ ମନୋଭାବ ରହୁଛି ବୋଲି କହିଛନ୍ତି। ବିରୋଧୀଙ୍କ ଅସଲ ରୂପ ଲୋକ ଜାଣିଛନ୍ତି। ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ହିଞ୍ଜିଳି ପରେ ଶେରଗଡରେ ଆଉ ଏକ ବିଶାଳ ଜନସମାବେଶକୁ କରିବେ ସମ୍ବୋଧନ ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ଜନସଭାରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଏଥି ସହିତ ଗଞ୍ଜାମରୁ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମଧ୍ୟ ସଭାରେ ଉପସ୍ଥିତ ରହିଛନ୍ତି।

ଗତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ଦୁଇ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୧୪ ବିଧାନସଭା ଆସନ ମଧ୍ୟରୁ ୧୩ଟିରେ ବିଜେଡି ବିଜୟୀ ହୋଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ୬୦ ହଜାରରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ହିଞ୍ଜିଳିରୁ ବିଜୟୀ ହୋଇଥିଲେ।